ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଅନୁଷ୍ଠିତ, ବିଭାଗୀୟ ସମନ୍ୱୟ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡ଼ା, ୨୯/୦୯ ( ପରମେଶ୍ୱର ମେହେର ) : ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତି (ଡିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ୍ ଖାନ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉପ-ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଓ ଅନୁପାଳନ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଯୋଜନା ଓ ପ୍ରକଳ୍ପର ଅଗ୍ରଗତି, ରହିଥିବା ସମସ୍ୟା ଏବଂ ତାହାର ସମାଧାନ ସମ୍ପର୍କରେ ବିଭାଗୱାରୀ ସମୀକ୍ଷା କରିଥିଲେ। ଜମି ଅଧିଗ୍ରହଣ/ଏଲିଏନେସନ୍ ପ୍ରସ୍ତାବଗୁଡ଼ିକର ତ୍ୱରିତ ଅନୁମୋଦନ ଓ ଅନୁପାଳନ ପାଇଁ ସମସ୍ତ ତହସିଲଦାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେଇ ଅବଶିଷ୍ଟ ଏଲିଏନେସନ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟ ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏମ୍ସିଏଚ୍ (MCH) କୋଠାର ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆର୍ ଆଣ୍ଡ୍ ବି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସହରାଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକର ଛାତରୁ ବର୍ଷାଜଳ ଲିକ୍ ହେବା ସମସ୍ୟାର ଆବଶ୍ୟକ ମରାମତି ଓ ରୁଫିଂ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବାକୁ ଆର୍ ଆଣ୍ଡ୍ ବି ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ପରିଦର୍ଶନ କରିବାକୁ କୁହାଯାଇଥିଲା। ବୈଠକରେ ଓଏସ୍ୱାସ୍ (OSWAS)ର କାର୍ଯ୍ୟଦକ୍ଷତା ମଧ୍ୟ ସମୀକ୍ଷା କରାଯାଇଥିଲା। ଓଏସ୍ୱାସ୍ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରଥମ, ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଦ୍ୱିତୀୟ ଏବଂ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତୃତୀୟ ସ୍ଥାନ ପାଇଁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମାପ୍ତ କରିବା ସହ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଗ୍ରାମୋଦୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଗ୍ରାମାଞ୍ଚଳରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ମୌଳିକ ସୁବିଧା ଏବଂ ସରକାରୀ ଯୋଜନାର ରୂପାୟଣ ସମ୍ପର୍କରେ ଆଲୋଚନା କରାଯାଇ ଏହାର ସୁଚାରୁ ଓ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା।