ବନ୍ୟା ସ୍ଥିତି ପରଖିବାକୁ ଜୟପୁରରେ ମୁଖ୍ୟମନ୍ତ୍ରୀ
ଜୟପୁର, ୨୭/୦୯ ( ଏ. ଭେଙ୍କଟ ରାଓ ) : ବନ୍ୟା ଓ ପ୍ରବଳ ବର୍ଷାରେ ପ୍ରଭାବିତ କୋରାପୁଟ ଜିଲ୍ଲାର ସ୍ଥିତି ପରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜୟପୁରରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ବିମାନରେ ଜୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ବିଜେପି କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଥିଲା। ମୁଖ୍ୟମନ୍ତ୍ରୀ ଜୟପୁରରେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତି ଓ ରିଲିଫ୍ ବ୍ୟବସ୍ଥା ନେଇ ସମୀକ୍ଷା କରିବେ। ଏହାପରେ କୋଟପାଡ଼ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବା ସହ ପ୍ରଭାବିତ ଲୋକଙ୍କ ସ୍ଥିତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିବେ ପରେ ଆକାଶମାର୍ଗରୁ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଭୁବନେଶ୍ୱର ଫେରିବେ। ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି।