Hot Posts

6/recent/ticker-posts

ବର୍ଷାରେ ବଡ଼ଭୀମାଗୁଡ଼ା ଗସ୍ତ କଲେ ବିଧାୟକ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ

ଝରିଗାଁ, ୨୪/୦୯ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଧୋଡ଼ରା ପଞ୍ଚାୟତର ବଡ଼ଭୀମାଗୁଡ଼ା ଗ୍ରାମରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି। ବର୍ଷାର ପ୍ରଭାବରେ କେତେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳି ସ୍ଥିତିରେ ଝରିଗାଁ ବିଧାୟକ ନରସିଂହ ଭତରା ବଡ଼ଭୀମାଗୁଡ଼ା ଗ୍ରାମ ଗସ୍ତ କରି ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ଯୋଗାଇଦେବା ନେଇ ଆଶ୍ୱାସନ ଦେଇଥିଲେ। ଏହି ଅବସରରେ ବିଧାୟକ ସ୍ଥାନୀୟ ଯୁବକ ଓ ଗ୍ରାମବାସୀଙ୍କୁ ବର୍ଷା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନବାହାରିବାକୁ ସେ କହିଥିଲେ। ବିଶେଷକରି ବିଡ୍ରି ନଦୀର ଜଳସ୍ତର ଓ ପାଣି ପ୍ରବାହ ପ୍ରତି ନଜର ରଖି ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ବିଧାୟକ ସୁରେଶ କଲାର, ରୂପଧର ଭତରା ଓ ଘନ ଭତରାଙ୍କ ସମେତ ଅନ୍ୟ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। କ୍ଷତିଗ୍ରସ୍ତ ପରିବାରମାନଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ବିଧାୟକଙ୍କ ସହଯୋଗୀ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ତହସିଲ କାର୍ଯ୍ୟାଳୟର ଆରଆଇ ଶିବନାଥ ମଣ୍ଡଳ ମଧ୍ୟ ସ୍ଥିତି ପରିଦର୍ଶନ କରି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ପ୍ରଭାବିତ ଲୋକଙ୍କୁ ଜରିପାଲ ଯୋଗାଇ ଦିଆଯାଇଥିବା ମଧ୍ୟ ଜଣାପଡ଼ିଛି। ବର୍ଷା ଯୋଗୁଁ ଘରବାଡ଼ି କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହ କ୍ଷୟକ୍ଷତିର ଆକଳନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବର୍ଷା ଜାରି ରହିଥିବାରୁ ପ୍ରଭାବିତ ପରିବାରଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ରିଲିଫ୍ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି। ଅଧିକ ବର୍ଷା ହେଲେ ଆହୁରି କ୍ଷୟକ୍ଷତିର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନେବା ସହ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଳରେ ଦାବି ହୋଇଛି।