Hot Posts

6/recent/ticker-posts

ବିଦ୍ୟୁତ ସେବା ବ୍ୟାହତ: ଚଚା ପଞ୍ଚାୟତର ୫ ଗାଁର ଲୋକେ ହନ୍ତସନ୍ତ

ଝରିଗାଁ, ୨୭/୦୯ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତରେ ଗତ ୨୨ ତାରିଖରୁ ବିଦ୍ୟୁତ ସେବା ବ୍ୟାହତ ରହିଛି। ସମ୍ପ୍ରତି ହୋଇଥିବା ବାତ୍ୟା ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା, ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଏବଂ ଗଛ ପଡ଼ିବା ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା। ଫଳରେ ପଞ୍ଚାୟତ ଅଧୀନରେ ଥିବା ଦାବିରିମୁଣ୍ଡା, ସୁରୁମୁଣ୍ଡା, ପୋରିଲାପଡ଼ା, ଗୋବାଗୁଡ଼ା ଓ ଭେଜିଗୁଡ଼ା ଭଳି ୫ଟି ଗାଁର ଲୋକେ ନାନା ଅସୁବିଧାରେ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ଅଞ୍ଚଳରେ ୮୦୦ରୁ ଅଧିକ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। ଉପଭୋକ୍ତାମାନେ ନିୟମିତ ଭାବେ ବିଦ୍ୟୁତ ବିଲ୍ ପୈଠ କରୁଥିଲେ ମଧ୍ୟ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ନପାଇବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଚଚାର ଥାଟବେଡ଼ାଠାରେ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇବା ପାଇଁ ଏକ ୩୩ କେଭି ଟାୱାର ସ୍ଥାପନ କରାଯାଇଥିଲା। ଏହାର ଉନ୍ନତିକରଣ ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଣ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲେ ମଧ୍ୟ ବର୍ତ୍ତମାନ ଲୋକେ ନିୟମିତ ବିଦ୍ୟୁତ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ବିଦ୍ୟୁତ ବିଭାଗର କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ୧୧ କେଭି ବିଦ୍ୟୁତ ଖୁଣ୍ଟ ଉପରେ ତାର ଛାଡ଼ି ତିନୋଟି ତାରକୁ ପରସ୍ପର ସହ ଛନ୍ଦି ଦେଇଥିବା ଦେଖିଥିବା ଜଣାପଡ଼ିଛି। ଏଭଳି ଘଟଣା ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିବା ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି। ଏହି ବିଷୟରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ସୁଜିତ କୁମାର ପୃଷ୍ଠି କହିଛନ୍ତି ଯେ, ଚଳିତ ସପ୍ତାହ ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଏହି ମାସ ମଧ୍ୟରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ବିଦ୍ୟୁତ ବିଭାଗ ପକ୍ଷରୁ କେବେ ସୁଦ୍ଧା ସମସ୍ୟାର ସ୍ଥାୟୀ ସମାଧାନ କରାଯାଉଛି ଏବଂ ୫ଟି ଗାଁର ଲୋକଙ୍କୁ କେବେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ମିଳୁଛି, ତାହା ଦେଖିବାକୁ ବାକି ରହିଲା।