Hot Posts

6/recent/ticker-posts

ବର୍ଷା ବିପର୍ଯ୍ୟୟରେ ପ୍ରଭାବିତ ବିଦ୍ୟାଳୟର ସ୍ଥିତି ପରଖିଲେ ବିଧାୟକ

ଝରିଗାଁ, ୨୬/୦୯ (ନକୁଳ ଭତରା) : ଲଗାଣ ବର୍ଷା ଯୋଗୁଁ ଝରିଗାଁ ଅଞ୍ଚଳରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ବିଧାୟକ ନରସିଂହ ଭତ୍ରା। ପରିଦର୍ଶନ ସମୟରେ ସେ ପ୍ରଥମେ ଝରିଗାଁ ଭୂତପୂର୍ବ ବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ପରିସର ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ପର୍କରେ ବିଧାୟକ ପ୍ରଧାନଶିକ୍ଷକ ବିପିନ ବିହାରୀଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ବର୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟା ଉପରେ ନଜର ରଖିବାକୁ ସେ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ଏଥିସହ ବିଦ୍ୟାଳୟର ଉନ୍ନତି ଓ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ପରେ ବିଧାୟକ ଝରିଗାଁ ତାଲିଆମ୍ବା ଅଞ୍ଚଳରେ ରହୁଥିବା ରତନା ଭତ୍ରାଙ୍କ ପରିବାରକୁ ଭେଟିଥିଲେ। ରତନାଙ୍କ କହିବାନୁସାରେ, ସେ ନିଜର ବିଧବା ଝିଅ ଓ ଦୃଷ୍ଟିହୀନ ପୁଅଙ୍କ ସହ ଚାଖୁଣ୍ଡା ଗଛ ତଳେ ଜରିପାଲ ଟାଣି ରହୁଛନ୍ତି। ତାଙ୍କ ପାଖରେ ସ୍ଥାୟୀ ଘର ନଥିବା ସହ ପେନସନ ଓ ଚାଉଳ ଉପରେ ପରିବାର ନିର୍ଭରଶୀଳ ବୋଲି ସେ ବିଧାୟକଙ୍କୁ ଜଣାଇଥିଲେ। ପରିବାରର ସମସ୍ୟା ଶୁଣିବା ପରେ ବିଧାୟକ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନକୁ କହିଥିଲେ। ପରିବାରକୁ ଜାଗା ଯୋଗାଇଦେବା ଏବଂ ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗାଇଦେବା ସହ ପେନସନ ଓ ରାସନ ସୁବିଧା ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ଏହି ଅବସରରେ ରତନାଙ୍କ ପରିବାରକୁ ଲୁଗା, କମ୍ବଳ ଓ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ ବିଧାୟକ। ଅନ୍ୟପକ୍ଷରେ, ସରକାରୀ ଆବାସ ଯୋଜନାରୁ ଯୋଗ୍ୟ ପରିବାର ବାଦ ପଡ଼ିବା ନେଇ ଅଭିଯୋଗ ଉଠୁଥିବାରୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଯୋଜନାରେ ସାମିଲ କରିବାକୁ ବିଧାୟକ ପ୍ରଶାସନକୁ କହିଥିଲେ।