ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୧୨ ଲକ୍ଷ ଟଙ୍କା ପୈଠ ନିର୍ଦ୍ଦେଶ, ଅନାଦାୟରେ ୧ ବର୍ଷ କାରାଦଣ୍ଡ
ଭବାନୀପାଟଣା, ୨୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଚେକ୍ ବାଉନ୍ସ ସମ୍ପର୍କିତ ଏକ ମାମଲାରେ ଭବାନୀପାଟଣା ଏସ୍ଡିଜେଏମ୍ ଅଦାଲତ ଶ୍ରୀ ସୂରଜ ପ୍ରକାଶ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଅଦାଲତ ଦୋଷୀଙ୍କୁ ୧୨ ଲକ୍ଷ ଟଙ୍କା ପୈଠ କରିବାକୁ ଆଦେଶ ଦେଇଥିବା ବେଳେ ଟଙ୍କା ପୈଠ ନକଲେ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ, ଭବାନୀପାଟଣା ବାହାଦୁର ବଗିଚାପଡ଼ାର ଆଇନଜୀବୀ ଶ୍ରୀ ମୋହିତ କୁମାର ଦାସଙ୍କ ଧର୍ମପତ୍ନୀ ଶ୍ରୀମତୀ ନୀଲମ ପାଟ୍ଟଯୋଷୀ ପରମାନନ୍ଦପୁରସ୍ଥିତ ଏକ ଜମି କ୍ରୟ କରିବା ପାଇଁ ଭବାନୀପାଟଣା ହିଲ୍ ଟାଉନ୍ସ୍ଥିତ ଶ୍ରୀ ପ୍ରତାପ କୁମାର ପଟ୍ଟନାୟକ ଓ ତାଙ୍କ ପୁଅ ଶ୍ରୀ ସୂରଜ ପ୍ରକାଶ ପଟ୍ଟନାୟକଙ୍କ ସହ ଚୁକ୍ତି କରିଥିଲେ। ଏହି ଚୁକ୍ତି ବାବଦରେ ୨୦୨୧ ମସିହାରେ ଶ୍ରୀମତୀ ପାଟ୍ଟଯୋଷୀ ୧୫ ଲକ୍ଷ ଟଙ୍କା ଅଗ୍ରୀମ ରାଶି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଜମିଟି ବିବାଦୀୟ ବୋଲି ଜଣାପଡ଼ିବାରୁ ଜମି କ୍ରୟ ସମ୍ପର୍କିତ ଚୁକ୍ତି ବାତିଲ ହୋଇଥିଲା। ଏହାପରେ ଶ୍ରୀ ସୂରଜ ପ୍ରକାଶ ପଟ୍ଟନାୟକ, ଶ୍ରୀମତୀ ନୀଲମ ପାଟ୍ଟଯୋଷୀଙ୍କୁ ୯ ଲକ୍ଷ ୨୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ ଏବଂ ଅବଶିଷ୍ଟ ଟଙ୍କା ନଗଦ ଆକାରରେ ଫେରସ୍ତ କରିଥିଲେ । ଶ୍ରୀମତୀ ପାଟ୍ଟଯୋଷୀ ଉକ୍ତ ଚେକ୍ଟି ନିଜ ବ୍ୟାଙ୍କ ଖାତାରେ ଜମା କରିଥିଲେ। ତେବେ ଚେକ୍ ପ୍ରଦାନକାରୀ ଶ୍ରୀ ସୂରଜ ପ୍ରକାଶ ପଟ୍ଟନାୟକଙ୍କ ଖାତାରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ଚେକ୍ଟି ବ୍ୟାଙ୍କ ଦ୍ୱାରା ଅନାଦୃତ ହୋଇ ଫେରସ୍ତ ଆସିଥିଲା। ଏହାକୁ ନେଇ ଶ୍ରୀମତୀ ନୀଲମ ପାଟ୍ଟଯୋଷୀ ଭବାନୀପାଟଣା ଏସ୍ଡିଜେଏମ୍ ଅଦାଲତରେ 1CC No. ୫୧/୨୦୨୧ ମାମଲା ରୁଜୁ କରିଥିଲେ। ମାମଲାରେ ଉପସ୍ଥାପିତ ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣକୁ ବିଚାର କରି ମାନ୍ୟବର ଏସ୍ଡିଜେଏମ୍ ଭବାନୀପାଟଣା ଶ୍ରୀମତୀ ଇଅନୁରାଧା ଶର୍ମା ଗତ ୨୫.୦୯.୨୦୨୬ ତାରିଖରେ ରାୟ ପ୍ରକାଶ କରି ଶ୍ରୀ ସୂରଜ ପ୍ରକାଶ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ଦୋଷୀଙ୍କୁ ୧୨ ଲକ୍ଷ ଟଙ୍କା ପୈଠ କରିବାକୁ ଆଦେଶ ଦେଇଥିବା ବେଳେ ଉକ୍ତ ଅର୍ଥ ପୈଠ ନକଲେ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଅଭିଯୋଗକାରୀ ଶ୍ରୀମତୀ ନୀଲମ ପାଟ୍ଟଯୋଷୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ କୁନାଲ କୁମାର ବେହେରା ଓ ତାଙ୍କ ସହଯୋଗୀମାନେ ମାମଲା ପରିଚାଳନା କରିଥିଲେ।