Hot Posts

6/recent/ticker-posts

ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକ୍ ଡ୍ରିଲ୍

କଳାହାଣ୍ଡି, ୨୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ନୂଆ ବସଷ୍ଟାଣ୍ଡରେ ପଶିଲା ଚିତାବାଘ। ଚିତାବାଘକୁ ଦେଖି ଆତଙ୍କିତ ଯାତ୍ରୀ ଓ ସ୍ଥାନୀୟ ଲୋକେ। ତେବେ ଏହା କୌଣସି ପ୍ରକୃତ ଘଟଣା ନୁହେଁ। ବନ୍ୟଜନ୍ତୁ ସପ୍ତାହ ଅବସରରେ ବନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର ‘ମକ୍ ଡ୍ରିଲ୍’। ଜନଗହଳିପୂର୍ଣ୍ଣ ସ୍ଥାନରେ ଚିତାବାଘ ପଶି ଆସିଲେ କିଭଳି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ତାହାର ଅଭ୍ୟାସ କରାଯାଇଥିଲା। ଭବାନୀପାଟଣା ନୂଆ ବସଷ୍ଟାଣ୍ଡରେ ବନ ବିଭାଗ ପକ୍ଷରୁ ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା। ଚିତାବାଘ ବସଷ୍ଟାଣ୍ଡ ଭିତରକୁ ପଶି ଆସିଥିବା ଭଳି ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏହାପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାଉ କରିବା, ଲୋକଙ୍କୁ ସୁରକ୍ଷିତ ଦୂରତାକୁ ହଟାଇବା ଏବଂ ଚିତାବାଘକୁ ନିରାପଦରେ ଉଦ୍ଧାର କରିବାର ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ। ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ଆୟୋଜିତ ଏହି ମକ୍ ଡ୍ରିଲ୍ ମାଧ୍ୟମରେ ବନ୍ୟଜନ୍ତୁ ଜନବସତି ମଧ୍ୟକୁ ପଶି ଆସିଲେ ଲୋକଙ୍କୁ କିଭଳି ସତର୍କ ରହିବାକୁ ହେବ, ସେନେଇ ସଚେତନ କରାଯାଇଥିଲା। ବନ୍ୟଜନ୍ତୁ ସୁରକ୍ଷା ସହ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ