Hot Posts

6/recent/ticker-posts

ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସିନାପାଲି, ୨୪/୦୪ ( ପରମେଶ୍ୱର ମେହେର ) : ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତ କାନ୍ଦୁଲକୋନା ଗ୍ରାମ କଲୋନିପଡାର ନିଲେନ୍ଦ୍ରୀ ନାଗ (୩୭) ଙ୍କର ବୁଧବାର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନିଲେନ୍ଦ୍ରି ୪ମାସ ତଳେ ସ୍ବାମୀ ପିତମ ନାଗ (୪୦) ଓ ଦୁଇ ପୁଅ ଟଙ୍କେଶ୍ବର ନାଗ (୯) ଓ କାହ୍ନା ନାଗ (୭) ଙ୍କୁ ଧରି ଆନ୍ଧ୍ରପ୍ରଦେଶର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସ୍ବାମୀ ସ୍ତ୍ରୀ ଏକ ଇଟା ଭାଟିରେ କାମ କରୁଥିଲେ। ନିଳେନ୍ଦ୍ରୀବୁଧବାର ସକାଳେ କାମ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ନିଲେନ୍ଦ୍ରୀଙ୍କ ମୃତଶରୀରକୁ ଆନ୍ଧ୍ରପ୍ରଦେଶରୁ ନିଜ ଗାଁ କାନ୍ଦୁଲକୋନା ଆଣି ଗାଁ ମଶାଣିରେ ଶବ ସତ୍କାର କରିଛନ୍ତି। ପରିବାର ଏକ ଗରୀବ ଶ୍ରେଣୀର ହୋଇଥିବା ବେଳେ ଜମିବାଡି ଘରଦ୍ବାର ନଥିବାରୁ ସମ୍ପର୍କୀୟଙ୍କ ଘରେ ଦିନ ବିତାଉଛନ୍ତି । ସରକାରୀ ସହାୟତା ଭାବେ ରାସନକାର୍ଡ ଖଣ୍ଡିଏ ରହିଛି । ଅନ୍ୟପକ୍ଷରେ ନୂଆପଡା ଜିଲ୍ଲା ପ୍ରଶାସନ ପ୍ରତି ମାସରେ ବିଭିନ୍ନ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଜାରି ରଖୁଥ‌ିବା ବେଳେ ଶ୍ରମିକଙ୍କ ମୃତ୍ୟୁ ପରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ନିଲେନ୍ଦ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ଜରୁରୀ ହୋଇପଡିଛି । ଏନେଇ ଜିଲ୍ଲାପାଳ ତୁରନ୍ତ ଦୁଷ୍ଟିଦେଇ ସହାୟତା କରିବାକୁ ସାଧାରଣରେ ଦାବି ହେଉଛି।



ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ