ଝରିଗାଁରେ ଚାଉଳ ବଣ୍ଟନ ବ୍ୟବସ୍ଥା ପ୍ରଭାବିତ
ଝରିଗାଁ, ୧୯/୦୭ ( ନକୁଳ ଭତ୍ରା ) : ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ଡାକରା କ୍ରମେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୨୩ଟି ପଞ୍ଚାୟତରେ କାର୍ଯ୍ୟରତ ୨୧ ଜଣ ଯୋଗାଣ ସହାୟକ ଜୁଲାଇ ୧୦ ତାରିଖରୁ ସମୂହ ଛୁଟିରେ ରହିଛନ୍ତି। ସେମାନେ ଭୁବନେଶ୍ୱରର ଲୋୟର ପିଏମଜି ଛକରେ ନିଜମାନଙ୍କର ୧୧ ଦଫା ଦାବି ପୂରଣ ପାଇଁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯୋଗାଣ ସହାୟକମାନଙ୍କ କହିବା ଅନୁଯାୟୀ, ସେମାନେ ଦୀର୍ଘ ବର୍ଷ ଧରି ପଞ୍ଚାୟତ ସ୍ତରରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଅଧୀନରେ ଖାଦ୍ୟଶସ୍ୟ ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ଜିଓ-ଟ୍ୟାଗିଂ, ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ସହଯୋଗ, ଇ-କେୱାଇସି କାର୍ଯ୍ୟ, ନିର୍ବାଚନ ଦାୟିତ୍ୱ ଏବଂ କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଅତ୍ୟାବଶ୍ୟକ ସେବା ଯୋଗାଇ ଆସୁଛନ୍ତି। ତଥାପି ଦୀର୍ଘଦିନ ଧରି ଉପସ୍ଥାପିତ ୧୧ ଦଫା ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନଥିବାରୁ ସେମାନେ ଆନ୍ଦୋଳନର ପଥ ବାଛିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ଧାରଣାସ୍ଥଳରେ ଜିଲ୍ଲା ସଭାପତି ପ୍ରମୋଦ ମଲ୍ଲିକ, ଉପସଭାପତି ତୁଷାରକାନ୍ତ ଦାଶ, ସାଧାରଣ ସମ୍ପାଦକ ସୁଦର୍ଶନ ବିଶୋୟୀ, କୋଷାଧ୍ୟକ୍ଷ ସରୋଜ ସାହୁଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକର ଯୋଗାଣ ସହାୟକମାନେ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। କରୋନା ସମୟରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା କିମ୍ବା ସରକାରୀ କର୍ମଚାରୀର ସ୍ୱୀକୃତି ମିଳିନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏପଟେ ଯୋଗାଣ ସହାୟକମାନଙ୍କ ସମୂହ ଛୁଟି ଯୋଗୁଁ ଝରିଗାଁ ବ୍ଲକ ସମେତ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଅଧୀନରେ ଚାଉଳ ବଣ୍ଟନ କାର୍ଯ୍ୟ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଏଥିରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି।