ଝରିଗାଁରେ ବିଜେପିରେ ୫୦ରୁ ଅଧିକ କର୍ମୀ ସାମିଲ
ଝରିଗାଁ, ୧୯/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀରେ ରବିବାର ଝରିଗାଁ ବିଧାୟକ ନରସିଂହ ଭତ୍ରାଙ୍କ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ପୂର୍ଲା ଅଞ୍ଚଳର ଡିଏନ୍କେ ର ବରିଷ୍ଠ ସମାଜସେବୀ ସୁମନ୍ତ ମିସ୍ତ୍ରୀଙ୍କ ସହ ତାଙ୍କର ପ୍ରାୟ ୫୦ ଜଣ ସମର୍ଥକ ବିଜେପିରେ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ପୂର୍ବରୁ ବିଜେଡି ଓ କଂଗ୍ରେସ ସହ ସମ୍ପୃକ୍ତ ଥିବା କୁହାଯାଇଛି। ଯୋଗଦାନ କରିଥିବା ସମସ୍ତଙ୍କୁ ବିଧାୟକ ନରସିଂହ ଭତ୍ରା ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ଏବଂ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଜନହିତକାରୀ ଯୋଜନା ପ୍ରତି ଆସ୍ଥା ପ୍ରକାଶ କରି ନୂତନ କର୍ମୀମାନେ ବିଜେପିରେ ସାମିଲ ହୋଇଛନ୍ତି। ସେ ଆହୁରି କହିଥିଲେ ଯେ, ସୁଭଦ୍ରା ଯୋଜନା ସମେତ ବିଭିନ୍ନ ଜନହିତକାରୀ ଯୋଜନା ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିବାରୁ ଅନେକ ଲୋକ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। କାର୍ଯ୍ୟକ୍ରମରେ ବିଜେପିର ବହୁ ସ୍ଥାନୀୟ ନେତା ଓ କର୍ମୀ ଉପସ୍ଥିତ ରହି ନବାଗତମାନଙ୍କୁ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।