ଭିନ୍ନକ୍ଷମ ବାପାଙ୍କ ଅସହାୟତା : ପ୍ରଶାସନ ଶୁଣିଲାନି, ଗାଁ ଯୁବକଙ୍କ ସହଯୋଗରେ ଚିକିତ୍ସା ପାଇଁ ରାଞ୍ଚି ଗଲେ ଦିବ୍ୟାଙ୍ଗ ଝିଅ
ସିନାପାଲି, ୨୩/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମରେ ଜଣେ ଭିନ୍ନକ୍ଷମ ବାପା ନିଜ ମାନସିକ ଭିନ୍ନକ୍ଷମ ଝିଅଙ୍କ ଚିକିତ୍ସା ପାଇଁ ଦୀର୍ଘଦିନ ଧରି ସଂଘର୍ଷ କରୁଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିନଥିବାବେଳେ ଶେଷରେ ଗାଁର କିଛି ଯୁବକଙ୍କ ସହଯୋଗରେ ଝିଅଙ୍କୁ ଚିକିତ୍ସା ପାଇଁ ରାଞ୍ଚି ନିଆଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ହାତୀବନ୍ଧା ଗ୍ରାମର ଲକ୍ଷ୍ମୀଧର ଭରାସାଗରିଆ (୬୦) ଜଣେ ଭିନ୍ନକ୍ଷମ ବ୍ୟକ୍ତି। ତାଙ୍କର ଏକମାତ୍ର ଝିଅ ଖୁଦ ଭରାସାଗରିଆ (୨୨) ବାଲ୍ୟାବସ୍ଥାରୁ ମାନସିକ ଭିନ୍ନକ୍ଷମତାରେ ପୀଡ଼ିତ। ଅଳ୍ପ ବୟସରେ ମା'ଙ୍କୁ ହରାଇବା ପରେ ଝିଅଙ୍କ ସମସ୍ତ ଦାୟିତ୍ୱ ବାପାଙ୍କ ଉପରେ ପଡ଼ିଥିଲା। ଆର୍ଥିକ ଅନଟନ ସହ ନିଜେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ସ୍ଥାନୀୟ ଏକ ହୋଟେଲରେ କାମ କରି ଜୀବିକା ନିର୍ବାହ କରିବା ସହ ଝିଅଙ୍କ ଦେଖାଶୁଣା କରୁଥିଲେ। ମାନସିକ ଅସୁସ୍ଥତା କାରଣରୁ ଯୁବତୀ ଅନେକ ସମୟରେ ଗାଁ ଦାଣ୍ଡ ଓ ରାସ୍ତାରେ ଅସଞ୍ଜତ ଅବସ୍ଥାରେ ବୁଲୁଥିବାରୁ ବାପା ତାଙ୍କ ଚିକିତ୍ସା ପାଇଁ ବହୁ ସ୍ଥାନରେ ସହାୟତା ଲୋଡ଼ିଥିଲେ। ଏହି ପ୍ରସଙ୍ଗ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତଥାପି ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ପରିଶେଷରେ ଗାଁର କିଛି ସମାଜସେବୀ ଯୁବକଙ୍କ ସହଯୋଗ ଓ ଆର୍ଥିକ ସହାୟତାରେ ଲକ୍ଷ୍ମୀଧର ନିଜ ଝିଅଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଞ୍ଚି ନେଇଯାଇଛନ୍ତି। ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଥିବାବେଳେ, ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଚିକିତ୍ସା ସହାୟତା, ସରକାରୀ ସୁବିଧା ଓ ପୁନର୍ବାସ ବ୍ୟବସ୍ଥା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।