Hot Posts

6/recent/ticker-posts

ନବରଙ୍ଗପୁରରେ ଯୁବଛାତ୍ର ମହାସଂଘର ବିଶାଳ ପ୍ରତିବାଦ ସଭାଯାତ୍ରା

ନବରଙ୍ଗପୁର, ୨୩/୦୭ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ଯୁବଛାତ୍ର ମହାସଂଘ ପକ୍ଷରୁ ଗୁରୁବାର ସକାଳ ୧୧ଟାରେ ଜିଲ୍ଲା ଆବାହକ ରାଜେଶ ଜାନୀଙ୍କ ନେତୃତ୍ୱରେ ଚାଉରିଆଗୁଡ଼ାରୁ ମାଝିଗୁଡ଼ା ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଛାତ୍ରମାନଙ୍କ ଉପରେ ଦିଲ୍ଲୀ ପୋଲିସର କଥିତ ଆକ୍ରମଣକୁ ବିରୋଧ କରି ଏହି ସଭାଯାତ୍ରା ଆୟୋଜିତ ହୋଇଥିଲା। ସଭାଯାତ୍ରା ପୂର୍ବରୁ ମହାତ୍ମା ଗାନ୍ଧୀ ଓ ଡ଼. ବି. ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରାଯାଇଥିଲା। ପରେ ମାଝିଗୁଡ଼ା ଛକରେ ନିଟ୍ ପେପର୍ ଲିକ୍ ଘଟଣା ସହ ସମ୍ପୃକ୍ତ ବୋଲି ଦାବି କରାଯାଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କ ଫଟୋରେ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଆୟୋଜକଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ୧୦ଟି ବ୍ଲକରୁ ପ୍ରାୟ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ସମାଜସେବୀ ଓ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଭାଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯିବା ସହ ନିଟ୍ ପେପର୍ ଲିକ୍ ଘଟଣାରେ ପ୍ରଭାବିତ ପରିବାରଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ, ଦିଲ୍ଲୀ ପୋଲିସର କଥିତ ଆକ୍ରମଣର ନ୍ୟାୟିକ ତଦନ୍ତ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପରୀକ୍ଷା ବ୍ୟବସ୍ଥା ପାଇଁ କଡ଼ା ଆଇନ ପ୍ରଣୟନ ଏବଂ ସୋନମ ୱାଙ୍ଗଚୁକଙ୍କୁ ଶୀଘ୍ର ମୁକ୍ତ କରିବା ଦାବି ଉଠିଥିଲା। ଶେଷରେ ଜିଲ୍ଲା ଆବାହକ ରାଜେଶ ଜାନୀ କହିଥିଲେ ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଛାତ୍ର-ଯୁବ ଆନ୍ଦୋଳନ ଜାରି ରହିବ ଏବଂ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ କରିଥିଲେ ।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l