Hot Posts

6/recent/ticker-posts

ରାଷ୍ଟ୍ରପତି ଭବନରୁ ଫେରିଲେ ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ର, ଗାଁ ମାଟିରେ ସମ୍ବର୍ଦ୍ଧିତ କଲେ ଭବାନୀପାଟଣା ପୌରପାଳିକା

କଳାହାଣ୍ଡି, ୦୨/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାଷ୍ଟ୍ରପତି ଭବନରୁ ଫେରିଲେ ସଫେଇ କର୍ମଚାରୀ । ଦେଶର ସର୍ବୋଚ୍ଚ ନାଗରିକ ସର୍ବମାନ୍ୟ ବ୍ୟକ୍ତିତ୍ଵ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଫେରିଛନ୍ତି ରାଜେନ୍ଦ୍ର ପାତ୍ର । ଗାଁ ମାଟି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅର୍କାବାହିଲି ପଡାରେ ପହଞ୍ଚିବା ପରେ ମିିଳିଛି ବିପୁଳ ସମ୍ମାନ ଓ ସମ୍ବର୍ଦ୍ଧନା । ସୁଇପର କଲୋନୀରେ ରହୁଥିବା ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ର ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଆଟ୍ ହୋମ୍” ଆତିଥ୍ୟ ସମ୍ମିଳନୀ ଯୋଗ ଦେଇଥିଲେ। ଗତ ୨୬ ତାରିଖ ସନ୍ଧ୍ୟାରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରିଛନ୍ତି। ରାଜେନ୍ଦ୍ର ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ନିଷ୍ଠାପର ଭାବରେ ପୌରପାଳିକା ପକ୍ଷରୁ ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଜଣେ ସାଧାରଣ ଠିକା ଶ୍ରମିକଙ୍କୁ ଦେଶର ସର୍ବୋଚ୍ଚ ଭବନରୁ ନିମନ୍ତ୍ରଣ ମିଳିବା ଓ ସେଠାରେ ଯୋଗ ଦେଇ ଫେରିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ରାଜେନ୍ଦ୍ର ପହଞ୍ଚିବା ପରେ ତାକୁ ବାଜା ବଜାଇ ଘରକୁ ପାଛୋଟି ନେଇଛନ୍ତି ଜନସାଧାରଣ। ଆଉ ସେପଟେ ରାଜେନ୍ଦ୍ରଙ୍କ ଖୁସି କହିଲେ ନ ସରେ। ଏନେଇ ଭବାନୀପାଟଣା ପୌରପାଳିକାର ଅଧକ୍ଷ ବିଷ୍ଣୁ ପ୍ରଧାନ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ପୌରପାଳିକ ପରିସରରେ ଆୟୋଜନ କରିଥିଲେ।
ଶ୍ରୀ ପ୍ରଧାନଙ୍କ କହିବା ଅନୁଯାୟୀ" ଆମକୁ ଏହା ସ୍ବପ୍ନ ଭଳି ଲାଗୁଛି ଆଉ ଗର୍ବ ମଧ୍ୟ ଲାଗୁଛି। ଯେଉଁ ସ୍ଥାନକୁ ବଡ ବଡ ଲୋକଙ୍କୁ ଡକା ଗଲାନାହିଁ ସେହି ସ୍ଥାନରେ ଆମର ଜଣେ ସ୍ୱିପର ଭାଇଙ୍କୁ ଡାକିଲେ ରାଷ୍ଟ୍ରପତି । ଆମକୁ ବହୁତ୍ ଖୁସି ଲାଗୁଛି। ଶ୍ରୀ ପାତ୍ରଙ୍କର ରୋଗୀଣି ସ୍ତ୍ରୀ ଅଛନ୍ତି। ସେ ବର୍ତମାନ ଶଯ୍ୟାଶାୟୀ। ତାଙ୍କର ପାଉଣା ସାଙ୍ଗକୁ ଚାକିରୀ ରେ ସ୍ଥାୟୀତ୍ୱ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରିଛନ୍ତି। ଏହି ଦରଖାସ୍ତ ର ଗୁରୁତ୍ୱକୁ ନେଇ ଏକ ବୈଠକରେ ପାରିତ କରି ଉଚ୍ଚ ସ୍ତରୀୟ ଅଧିକାରୀ ପାଖକୁ ସୁପାରିଶ କରିବୁ ବୋଲି କହିଲେ ଅଧକ୍ଷ ବିଷ୍ଣୁ ପ୍ରଧାନ। ସେହିପରି ରାଜେନ୍ଦ୍ର ପାତ୍ର କହିଛନ୍ତି, ‘ରାଷ୍ଟ୍ରପତି ଭବନରେ ପହଞ୍ଚିଲା ପରେ ବହୁତ ଖୁସି ଲାଗିଲା । ଅନେକ ଦେଶରୁ ଲୋକ ଆସିଥିଲେ। ସ୍ବପ୍ନ ଦେଖିଲା ଭଳି ଲାଗୁଥିଲା। ମୁଁ ଯେଉଁ ପାଖରେ ବସିଥିଲି ମୋର ଟିକିଏ ଆଗକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସିଥିଲେ। ଆମେ ଯିବା ବେଳେ ବହୁତ ଚେକିଂ କରାଗଲା ସେଠାରେ ବହୁତ୍ ବଡ଼ ବଡ଼ ଳୋକଙ୍କୁ ଦେଖିବାକୁ ପାଇଲୁ। ଗର୍ବ ଲାଗୁଛି ଯେ, ଏମିତି ଏକ ସ୍ଥାନକୁ ଯିବାର ସୁଯୋଗ ମିଳିଲା। ଆହୁରି ଖୁସି ଲାଗିଲା, ଏଠାକୁ ଫେରିବା ପରେ ମୋର ସମସ୍ତ ସ୍ଵିପର ଭାଇମାନେ ବାଜା ବଜାଇ ନାଚଗୀତ କରି ମତେ ସ୍ବାଗତ କରିଥିବା ସହିତ ପୌରପାଳିକା ଭବାନୀପାଟଣା ପକ୍ଷରୁ ଯେଉଁଭଳି ସ୍ୱାଗତ ସମ୍ବର୍ଦ୍ଧନା କରାଗଲା, ସେଥିପାଇଁ ଅଧକ୍ଷ, ନିର୍ବାହୀ ଅଧିକାରୀ,ସମସ୍ତ ସଦସ୍ୟ ତଥା ପୌରପାଳିକା କର୍ମଚାରୀ ବୃନ୍ଦଙ୍କୁ ମୋର ଗଭୀରତମ ହୃଦୟରୁ ଧନ୍ୟବାଦ ସହ ସାଧୁବାଦ ଜ୍ଞାପନ କରୁଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ