କର୍ସାହାଣ୍ଡି, ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପିତ |
ଝରିଗାଁ, ୨୮/୦୩ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କରସାହାଣ୍ଡି ଗ୍ରାମରେ ମା ଠାକୁରାଣୀ,ଗାଦିମା (ଦୁର୍ଗା ) ଏବଂ ମା ଲମାନୀ ମାତା ମନ୍ଦିରର ପ୍ରତିଷ୍ଠା ଉତ୍ସବ ବୁଧବାର ଦିନ ସମାପିତ ହୋଇଯାଇଛି |ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନରେ ଦେଉଳକୋଣା ଗ୍ରାମ ନିକଟସ୍ଥ ଅମର୍ଲ୍ଲୀ ନଦୀରୁ ବିରାଟ କଳସ ଯାତ୍ରାର ଆୟୋଜନ କରାଯାଇ 1008ଟି କଳସ ସ୍ଥାପନ କରାଯାଇଥିଲା । ଏହି କଳସ ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଜନସାଧାରଣ ଯୋଗ ଦେଇଥିଲେ। ଠାକୁରାଣୀ ପୂଜାରୀ ହୃଷିକେଶ ପାଣ୍ଡେ, ଲମାନୀ ମାତାଙ୍କ ପୂଜାରୀ ପଦ୍ମନାଭ ପାଣ୍ଡେ ଏବଂ ଗାଦିମା ତଥା ମା ଦୁର୍ଗାଙ୍କ ପୂଜାରୀ ଗୋବର୍ଧନ ନାୟକ ପ୍ରମୁଖ ମନ୍ଦିର ଗୁଡିକରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି କଳସ ସ୍ଥାପନ କରିବା ସହ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିଥିଲେ।ଚାରି ଦିନ ଧରି ପ୍ରତିଷ୍ଠା ଉତ୍ସବରେ ହୋମ ଯଜ୍ଞ ସାଙ୍ଗକୁ ଲମାନୀ ମାତାଙ୍କ ମନ୍ଦିରର ରତ୍ନମୂଦ ସ୍ଥାପନ, ଗାଦିମା ଙ୍କ ନଗର ପରିକ୍ରମା ଓ ଠାକୁରାଣୀ ମାତାଙ୍କୁ ଅଭିଷେକ କରାଯିବା ପରେ ମନ୍ଦିର ଭିତରକୁ ନିଆଯିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ସବୁର ଆୟୋଜନ କରାଯାଇଥିଲା |ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଓ ରାମଲୀଳା କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା ।ଚାରିଦିନ ଧରି ଚାଲିଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଝରିଗାଁ ତଥା ଆଖପାଖ ଅଞ୍ଚଳ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ |