କର୍ସାହାଣ୍ଡି ଗ୍ରାମର ତିନି ପ୍ରମୁଖ ମନ୍ଦିର ପ୍ରତିଷ୍ଠା
ଝରିଗାଁ, ୨୩/୦୩ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଅନ୍ତର୍ଗତ କର୍ସାହାଣ୍ଡି ଗ୍ରାମର ତିନି ପ୍ରମୁଖ ଦେବୀ( ମା ଠାକୁରାଣୀ, ଗାଦିମା (ଦୁର୍ଗା ) ଏବଂ ମା ଲମାନୀ ମାତା )ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ପ୍ରଥମ ଚରଣରେ ପାଦଦେଇଥିବା ବେଳେ ପ୍ରଥମ ଦିବସରେ ଏକ ବିଶାଳ କଳସୀ ଯାତ୍ରାର ଆୟୋଜନ ଦେଖିବାକୁ ମିଳିଛି |ଏହି ଅବସରରେ ଗ୍ରାମର ସହସ୍ରାଧିକ ମହିଳା ଓ ଯୁବତୀ ମୁଣ୍ଡରେ ନୁଆଁ କଳସୀ ସବୁ ମୁଣ୍ଡେଇ ଦେଉଳକୋଣା ନିକଟରେ ଥିବା ଅମରଲୀ ନଦୀରୁ 1008 କଳସୀରେ ଜଳ ଉଠେଇଥିବା ଦେଖିବାକୁ ମିଳିଛି |ଠାକୁରାଣୀ ପୂଜାରୀ, ହୃଷିକେଶ ପାଣ୍ଡେ, ଲମାନୀ ମାତାଙ୍କ ପୂଜାରୀ ପଦ୍ମନାଭ ପାଣ୍ଡେ ଏବଂ ଗାଦିମା ତଥା ମା ଦୁର୍ଗାଙ୍କ ପୂଜାରୀ ଗୋବର୍ଧନ ନାୟକ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠାର ରୀତିନୀତି ଅନୁଯାୟୀ ନଦୀ ତୁଠରେ ପୂଜାର୍ଚନା କରି ନଦୀରୁ 1008 କଳସୀରେ ପାଣି ଉଠେଇ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ସ୍ଥିତ ମନ୍ଦିରରେ ପହଂଚି ସ୍ଥାପନ କରିଛନ୍ତି |ଏହି ଶୋଭାଯାତ୍ରାରେ କଳାହାଣ୍ଡି ଘୁମୁରା, ବଙ୍ଗାଳି ଡଙ୍କା ବାଜା, ସିଙ୍ଗ ବାଜା,ଗଣ୍ଡ ବାଜା, ମହିମା ଧର୍ମାବଳମ୍ବି ମାନଙ୍କ ବାଜା ଆଦି ସାମିଲ ରହିଥିବା ବେଳେ ଗ୍ରାମର ସହସ୍ରାଧିକ ଜନସାଧାରଣ ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ଯୋଗ ଦେଇଥିବା ବେଳେ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ |ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମ ସୋମବାର 23ତାରିଖରେ ଆରମ୍ଭ ହୋଇ ଆସନ୍ତା 26ତାରିଖ ଯାଏ ଚାଲିବାକୁ ଥିବାବେଳେ ପ୍ରତିଦିନ ଅପରାହ୍ନ 12ଘଂଟିକାରେ ପ୍ରସାଦ ସେବନ, ସନ୍ଧ୍ୟା 6ଘଂଟିକା 30ମିନିଟ ରୁ ରାତ୍ର 8ଘଂଟିକା 30ମିନିଟ ଯାଏ ପ୍ରବଚନ ଏବଂ ରାତ୍ର 8ଘଂଟିକା 30ମିନିଟରୁ ବରଗଡ଼ ଧନୁଯାତ୍ରାର କଳାକାର ମାନଙ୍କ ଦ୍ୱାରା ପବିତ୍ର ରାମଲୀଳା କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି |