Hot Posts

6/recent/ticker-posts

ପୋଲିସ ପ୍ରଶାସନର ଛତ୍ରଛାୟାରେ ଖୁଡ଼ଖୁଡି ମାଫିଆ

ଝରିଗାଁ, ୨୪/୦୩ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ବସବାସ କରୁଥିବା ନବେ ପ୍ରତିଶତ ଜନସାଧାରଣ ଆଦିବାସୀ ସମ୍ପ୍ରଦାୟର । ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ବର୍ଷର ବାରମାସ ମଧ୍ୟରେ ବିଭିନ୍ନ ପ୍ରକାର ପାର୍ବପର୍ବାଣି ସବୁ ପାଳନ କରୁଥିବା ବେଳେ ଆଦିବାସୀ ଦଶହରା ଓ ଚୈତ୍ରପର୍ବ ପର୍ବ ମାନଙ୍କ ଭିତରେ ଶ୍ରେଷ୍ଠ ବୋଲି ପରିଗଣନା କରାଯାଏ ।ଏହି ଦୁଇଟି ପର୍ବ ଝରିଗାଁ ଅଞ୍ଚଳରେ ବେସ ଧୁମଧାମରେ ପାଳିତ ହେଉଥିବା ବେଳେ ଏହି ସମୟରେ କାୟା ବିସ୍ତାର କରନ୍ତି ଖୁଡ଼ଖୁଡି ମାଫିଆ ମାନେ । ଗ୍ରାମେ ଗ୍ରାମେ ମଣ୍ଡେଇ ବଜାରର ଆୟୋଜନ ହେଉଥିବା ବେଳେ ଖୁଡ଼ଖୁଡି ମାଫିଆ ମାନେ ଥାନାବାଳା ମାନଙ୍କ ସହିତ ସଲାସୁତରା ହୋଇ ବିଭିନ୍ନ ହାଟ ଓ ବଜାରରେ ଖୁଡ଼ଖୁଡି ପସରା ମେଲେଇ ଆଦିବାସୀ ମାନଙ୍କୁ ବେସ ଶୋଷଣ କରିଥାନ୍ତି । ବଜାର ତଥା ମଣ୍ଡେଇ ଦେଖିବାକୁ ଆସିଥିବା ନିରୀହ ଆଦିବାସୀ ଏହି ଖୁଡ଼ଖୁଡି ଖେଳର ଜାଲରେ ଫସି ସର୍ବସ୍ୱାହା ହୋଇ ଘରେ ଫେରୁଥିବା ମଧ୍ୟ ନଜିର ରହିଛି । କିଛି ଆଦିବାସୀ ଯୁବକ ଜୁଆରେ ଅତ୍ୟଧିକ ଟଙ୍କା ହାରିବା ପରେ ଖୁଡ଼ଖୁଡି ମାଫିଆ ମାନଙ୍କୁ ୧୦୦୦ଟେ ଦିଅ, ୫୦୦ଟେ ଦିଅ ବୋଲି କାକୁତି ମିନତି ହେଉଥିବା ଦୃଶ୍ୟ ମଧ୍ୟ ନଜରକୁ ଆସୁଛି । ହାଟ ବଜାରରେ ନିଜ ନିଜ ପରିବାର ଧରି ଆସୁଥିବା ଅଧିବାସୀ ଯୁବକ ଏହି ଖେଳର ମାୟାଜାଲରେ ପଡି ସର୍ବସ୍ୱାହା ହେବା ପରେ ନିଜ ସନ୍ତାନ ଓ ସ୍ତ୍ରୀର ଇଚ୍ଛା ପୂରଣ କରିବାରେ ଅକ୍ଷମ ହୋଇପଡିବା ପରେ କୌଣସି ବାହାନା କରି ନିଜ ସ୍ତ୍ରୀ ଓ ସନ୍ତାନ ଉପରେ ରାଗ ସୁଝାନ୍ତି । ଫଳ ସ୍ୱରୂପ ଏକ ସୁଖର ସଂସାର କିଛି କ୍ଷଣ ମଧ୍ୟରେ ହିଁ ଛାରଖାର ହୋଇପଡୁଛି ।ଏଭଳି ଅନେକ ପରିବାର ଛିନ୍ନଭିନ୍ନ ହେଉଥିଲେ ମଧ୍ୟ ପୋଲିସ ପ୍ରଶାସନ କିଛି ଟଙ୍କା ଆଶାରେ ଖୁଡ଼ଖୁଡି ମାଫିଆ ମାନଙ୍କ ଖେଳ ଖେଳେଇବା ପାଇଁ ସ୍ୱୀକୃତି ପ୍ରଦାନ କରିବା ଅତି ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେବା ସହିତ ପୋଲିସ ପ୍ରଶାସନର ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରାଯାଉଛି । ଖୁଡ଼ଖୁଡି ଓ ଜୁଆ ଭଳି ଅସାମାଜିକ ଖେଳ ପାଇଁ ଅଞ୍ଚଳରେ ଅନେକ ପରିବାର ଉଜୁଡି ଯାଉଥିଲେ ମଧ୍ୟ ପୋଲିସ ପ୍ରଶାସନକୁ କିଛି ବି ଫରକ ପଡୁନି । ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଉଦେଶ୍ୟରେ ସରକାର ପୋଲିସ ପ୍ରଶାସନକୁ ନିୟୋଜିତ କରିଥିବା ବେଳେ ପୋଲିସ ନିଜେ ହିଁ ସମାଜରେ ବିଶୃଙ୍ଖଳାର କାରଣ ସାଜୁଛି ତେବେ ସାଧାରଣ ଜନତା କାହା ଉପରେ ଭରଷା କରିବେ ଓ କାହା ଭରଷାରେ ସମାଜକୁ ସୁରକ୍ଷିତ ମଣିବେ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ନିଜ ଭୁଲ ସୁଧାରିବାକୁ ଚେଷ୍ଟା କରୁଛି ନା ସମାଜରେ ଖୁଡ଼ଖୁଡି ଖେଳ ଓ ଜୁଆଖେଳ ଭଳି ଅସାମାଜିକ ଖେଳ ସବୁକୁ ସର୍ବସାଧାରଣ ସ୍ଥାନ ମାନଙ୍କରେ ଖେଳିବାର ସ୍ୱୀକୃତି ଦେଇ ସୁସ୍ଥ ସମାଜକୁ ବିଶୃଙ୍ଖଳିତ ସମାଜ ଭାବେ ଗଢି ତୋଳିବାର କର୍ଣ୍ଣଧାର ପାଲଟୁଛି ।