Hot Posts

6/recent/ticker-posts

ସମାଜସେବୀଙ୍କ ଉଦ୍ୟମରେ ରାସ୍ତା ମରାମତି

ଝରିଗାଁ, ୨୮/୦୯ (ନକୁଳ ଭତରା) : ରାସ୍ତାରେ ଖାଲଖମା ଯୋଗୁଁ ଯାତାୟାତରେ ସମସ୍ୟା ଉପୁଜୁଥିବା ବେଳେ ଏହାର ମରାମତି ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ସମାଜସେବୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡ଼ା ଛକ ନିକଟରେ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାକୁ ମେଟାଲ ଗୋଡ଼ି ଓ ମାଟି ପକାଇ ପୂରଣ କରିବା ସହ ସମତଳ କରିଛନ୍ତି ଗ୍ରାମର ସମାଜସେବୀମାନେ। ସୂଚନା ଅନୁଯାୟୀ, ରାଜ୍ୟ ରାଜପଥ ୩୯ର ଉମରକୋଟ - ଡାବୁଗାଁ ମୁଖ୍ୟ ରାସ୍ତାର ବକଡ଼ାବେଡ଼ା ଛକ ନିକଟରେ ଦୀର୍ଘଦିନ ଧରି ଖାଲଖମା ସୃଷ୍ଟି ହୋଇଥିଲା। ଫଳରେ ଏହି ରାସ୍ତା ଦେଇ ଦୈନିକ ଯାତାୟାତ କରୁଥିବା ଅନେକ ଯାନବାହନ ଚାଳକ ଓ ଯାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ରାସ୍ତାରେ ଖାଲଖମା ଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଥିଲା। ଏନେଇ ଯାତାୟାତରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବକଡ଼ାବେଡ଼ା ଗ୍ରାମର କିଛି ସମାଜସେବୀ ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରିବାକୁ ଆଗେଇ ଆସିଥିଲେ। ସେମାନେ ମେଟାଲ ଗୋଡ଼ି ଓ ମାଟି ଆଣି ରାସ୍ତାରେ ଥିବା ଖାଲଖମା ପୂରଣ କରିବା ସହ ଏହାକୁ ଯାତାୟାତ ଉପଯୋଗୀ କରିବାକୁ ଉଦ୍ୟମ କରିଥିଲେ। ଏହି କାର୍ଯ୍ୟରେ ପିତାମ୍ବର ମାଝୀ, ଭଗବାନ ଗୌଡ଼, ଯୁଗସାୟ କଳାର, ସହଦେବ ପନକା, ଆଲୋକ ଗୌଡ଼, ତିଲୋ ଭତ୍ରା ଓ ପ୍ରଭାକର ଗୌଡ଼ ପ୍ରମୁଖ ସାମିଲ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସୁବିଧା ପାଇଁ ସମାଜସେବୀମାନଙ୍କ ଏହି ଉଦ୍ୟମକୁ ନେଇ ଚର୍ଚ୍ଚା ହେଉଛି। ତେବେ ରାସ୍ତାର ସ୍ଥାୟୀ ମରାମତି ହେଲେ ଯାତାୟାତରେ ଆହୁରି ସୁବିଧା ହୋଇପାରିବ।