ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଉପନିର୍ବାଚନ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଶ୍ରମିତା ପାଢ଼ୀ।
ରାୟଗଡ଼ା, ୨୯/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଆଜି ହୋଇଛି ଉପନିର୍ବାଚନ। ନିର୍ଦ୍ୱନ୍ଦ୍ୱରେ ନବ ନିର୍ବାଚିତ ହୋଇଛନ୍ତି ଶ୍ରମିତା ପାଢ଼ୀ। ମୋଟ ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷା ପଦ ପାଇଁ କେବଳ ଜଣେ ୧୬ ନମ୍ୱର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ପଦକୁ ନେଇ ପୂର୍ବରୁ ପୌର ପରିଷଦରେ ରାଜନୈତିକ ଟଣାଓଟରା ଦେଖିବାକୁ ମିଳିଥିଲା। ଦଳୀୟ ହୁଇପ୍ ସତ୍ତ୍ୱେ ପୂର୍ବତନ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଭୋଟରେ ଶୁଭ୍ରା ପଣ୍ଡା ପରାସ୍ତ ହେବା ପରେ ଉପାଧ୍ୟକ୍ଷା ପଦ ଖାଲି ପଡ଼ିଥିଲା। ରାୟଗଡ଼ା ପୌର ପରିଷଦରେ ମୋଟ ୨୪ ଜଣ କାଉନସିଲର ଅଛନ୍ତି। ସେଥିରୁ ବିଜେପିର ୨, ବିଜେଡିର ୨ ଓ କଂଗ୍ରେସର ଜଣେ କାଉନସିଲର ଥିବା ବେଳେ ୧୯ ଜଣ କାଉନସିଲର ବୀଜୁ ସ୍ବାଭିମାନ ମଞ୍ଚର ସଭାପତି ଏନ୍. ଭାସ୍କର ରାଓଙ୍କ ସମର୍ଥକ ଭାବେ ରହିଛନ୍ତି।