Hot Posts

6/recent/ticker-posts

ରାଜ୍ୟ ପର୍ଯବେକ୍ଷକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟର ବ୍ୟାପକ ସମୀକ୍ଷା

ସୁବର୍ଣ୍ଣପୁର, ୦୭/୦୮ ( ଜଗଦିଶ ମେହେର ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) କାର୍ଯ୍ୟର ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କମିଶନର ତଥା ସରକାରଙ୍କ ସେକ୍ରେଟାରୀ ଶ୍ରୀ ବି. ପରମେଶ୍ୱରନ, ଆଇ.ଏ.ଏସ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ପ୍ରଥମେ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା SIR କାର୍ଯ୍ୟର ଅଗ୍ରଗତି ବିଷୟରେ ଉପଜିଲ୍ଲାପାଳ ଡ଼ ସୌମ୍ୟ ରୁପା ରଥ ସୂଚନା ପ୍ରଦାନ କରିଥିଲେ । ମ୍ୟାପିଂ ସମ୍ପର୍କିତ ସମସ୍ୟା ଏବଂ ନୂତନ ବୁଥ୍ ଲେଭଲ୍ ଅଫିସର (BLO)ମାନଙ୍କ ପ୍ରଶିକ୍ଷଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଖସଡ଼ା ଭୋଟର ତାଲିକା ହିସାବରେ ମୋଟ ୨,୫୩,୭୨୪ ଜଣ ଭୋଟର ଥିବାବେଳେ ଏହା ଅଧୀନରେ ୪ଟି ବ୍ଲକ/ତହସିଲ, ୭ ଜଣ AERO, ୩୫୫ ଜଣ BLO ଏବଂ ୩୬ ଜଣ BLO ସୁପରଭାଇଜର ନିୟୋଜିତ ଅଛନ୍ତି। ଏହାପରେ ବୀରମହାରାଜପୁର ଉପଖଣ୍ଡରେ ଚାଲିଥିବା SIR କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା ଯାହା ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର ଉପସ୍ଥାପନ କରିଥିଲା । ବୀରମହାରାଜପୁର ଉପଖଣ୍ଡର ଡ୍ରାଫ୍ଟ ଭୋଟର ତାଲିକା ଅନୁଯାୟୀ ମୋଟ ୨,୦୬,୨୫୧ ଜଣ ଭୋଟର ରହିଛନ୍ତି। ଏହି ଉପଖଣ୍ଡରେ ୩ଟି ବ୍ଲକ/ତହସିଲ, ୯ ଜଣ AERO, ଏବଂ ୩୦୭ ଜଣ BLO ନିୟୋଜିତ ଅଛନ୍ତି। ଏହି BLOମାନଙ୍କ ମଧ୍ୟରେ ୨୨୩ ଜଣ ଶିକ୍ଷକ ଏବଂ ୮୪ ଜଣ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି। ଏହାସହିତ ୩୧ ଜଣ BLO ସୁପରଭାଇଜର ନିୟୋଜିତ ଅଛନ୍ତି। ସମଗ୍ର ଜିଲ୍ଲା ପାଇଁ ନିର୍ବାଚନୀ ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଦାଖଲ ପାଇଁ ୦୫ ଜୁଲାଇ ୨୦୨୬ ରୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ନୋଟିସ୍ ପର୍ଯ୍ୟାୟ ଏବଂ ଦାବି ଓ ଆପତ୍ତିର ନିଷ୍ପତ୍ତି ପ୍ରକ୍ରିୟା ୦୫ ଜୁଲାଇ ୨୦୨୬ ରୁ ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଚୂଡ଼ାନ୍ତ ନିର୍ବାଚନୀ ତାଲିକା ୨୧ ସେପ୍ଟେମ୍ବର ୨୦୨୬ରେ ପ୍ରକାଶ ପାଇବ। ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ବୁଥ୍ ଲେଭଲ୍ ଏଜେଣ୍ଟମାନେ ମଧ୍ୟ ଯୋଗଦେଇଥିଲେ। ସେମାନେ ନିର୍ବାଚନୀ ତାଲିକା ପ୍ରସ୍ତୁତି ଏବଂ SIR କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନାରେ ଭାଗ ନେଇ ନିଜର ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ। SIR କାର୍ଯ୍ୟକୁ ସୂଚାରୁ ଓ ସଫଳତାର ସହ ସମ୍ପାଦନ କରିବା, ମ୍ୟାପିଂ ଓ ନିର୍ବାଚନୀ ତାଲିକା ପ୍ରସ୍ତୁତି ସମ୍ପର୍କିତ ସମସ୍ୟାର ସମାଧାନ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକ ପରେ ରାଜ୍ୟ ପର୍ଯବେକ୍ଷକ ସୋନପୁର ବିଧାନସଭା ମଣ୍ଡଳୀର SIR କାର୍ଯକ୍ରମର ଅଗ୍ରଗତି ନିରୀକ୍ଷଣ ନିମନ୍ତେ ସୋନପୁର ଉପଜିଲ୍ଲାପାଳ କାର୍ଯାଳୟ ଏବଂ ସୋନପୁର ତହସିଲଦାର କାର୍ଯାଳୟ ପରିଦର୍ଶନ କରିଥିଲେ ।