Hot Posts

6/recent/ticker-posts

ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭଞ୍ଜନଗର, ୧୧/୦୯ ( ଜେ. କେ ପଟ୍ଟନାୟକ ) : ଭଞ୍ଜନଗର ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅଧ୍ୟକ୍ଷ ନରିସଭା ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, କନ୍ଧମାଳ ସାଂସଦ ଡିଆରଡିଏ ପ୍ରତିନିଧି ଶିବଶଙ୍କର ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।ବୈଠକରେ ଭଞ୍ଜନଗର ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଜନସାଧାରଣଙ୍କ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷ କରି ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଲିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହିତ ବାରମ୍ବାର ବିଦ୍ୟୁତ ବିଭ୍ରାଟ ନେଇ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରି ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକ ପ୍ରାରମ୍ଭରେ ଜିପିଇଓ ପୂର୍ଣ୍ଣଚନ୍ଦ୍ର ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ପରେ ଗ୍ରାମ୍ୟ ପାନୀୟ ଜଳଯୋଗାଣ, ପରିମଳ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଶିକ୍ଷା, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଅଗ୍ରଗତି ଉପରେ ଅଧିକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଭିବିଜିରାମଜି, ବିଧାୟକ ଓ ସାଂସଦଙ୍କ ପାଣ୍ଠିରୁ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଦାରିଦ୍ର୍ୟ ଦୂରୀକରଣ ଓ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବିଧବା ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଯୋଗାଣ ବିଭାଗର ଅଧିକାରୀ ହିତାଧିକାରୀମାନଙ୍କୁ ବର୍ତ୍ତମାନ ମିଳୁଥିବା ବିଭିନ୍ନ ସାମଗ୍ରୀ ଓ ତାହାର ପରିମାଣ ସମ୍ପର୍କରେ ସଭ୍ୟ ଓ ସଭ୍ୟାମାନଙ୍କୁ ଅବଗତ କରାଇଥିଲେ। ସେହିପରି ସମନ୍ୱିତ ମହିଳା ଓ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଓ ଅଗ୍ରଗତି ସମ୍ପର୍କରେ ସିଡିପିଓ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଭଞ୍ଜନଗର ପଞ୍ଚାୟତ ସମିତି ଅଧୀନ ସମସ୍ତ ସରପଞ୍ଚ,ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଜନସାଧାରଣଙ୍କ ମୌଳିକ ସୁବିଧା, ଚାଲୁଥିବା ଉନ୍ନୟନ କାର୍ଯ୍ୟର ଗୁଣାତ୍ମକ ଅଗ୍ରଗତି ଏବଂ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା।