ଶିକ୍ଷକଙ୍କ ଯୋଗଦାନକୁ ବିରୋଧ, ସ୍କୁଲ ଗେଟ୍ରେ ଅଭିଭାବକଙ୍କ ଧାରଣା
ଝରୀଗାଁ, ୦୮/୦୯ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ, ତାରାକନାଡ଼ିରେ ଜଣେ ଶିକ୍ଷକଙ୍କ ଯୋଗଦାନକୁ ବିରୋଧ କରି ଗ୍ରାମବାସୀ ଓ ଅଭିଭାବକମାନେ ସୋମବାର ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ସୂଚନା ଅନୁଯାୟୀ, ରାଇଘର ବ୍ଲକ ପୁଟାନାଡ଼ା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ବିଜୟ କୁମାର ମାଝୀଙ୍କୁ ତାରାକନାଡ଼ି ବିଦ୍ୟାଳୟରେ ଯୋଗଦାନ କରିବା ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶିକ୍ଷକ ଜଣକ ପୂର୍ବରୁ ପୁପୁଗାଁ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ କାର୍ଯ୍ୟକଳାପକୁ ନେଇ କିଛି ଅଭିଯୋଗ ରହିଥିଲା। ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରାଯାଇ ତଥ୍ୟ ସ୍ପଷ୍ଟ ନହେବା ପର୍ଯ୍ୟନ୍ତ ତାଙ୍କୁ ବିଦ୍ୟାଳୟରେ ଯୋଗଦାନ କରିବାକୁ ଦିଆନଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ପ୍ରତିବାଦ ସମୟରେ ଗ୍ରାମବାସୀ ଓ ଅଭିଭାବକମାନେ ବିଭିନ୍ନ ନାରା ଦେଇ ଶିକ୍ଷା ବିଭାଗର ହସ୍ତକ୍ଷେପ ଦାବି କରିଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ, ଶିକ୍ଷକ ବିଜୟ କୁମାର ମାଝୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, “ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁଠି ଡେପୁଟେସନରେ ପଠାଯିବ, ସେଠାକୁ ମୁଁ ଯିବି। ଗ୍ରାମବାସୀଙ୍କ ଅଭିଯୋଗ ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।” ତେବେ, ଅଭିଯୋଗଗୁଡ଼ିକର ସତ୍ୟତା ନେଇ ଶିକ୍ଷା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିନାହିଁ। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଶୀଘ୍ର ଉଚିତ ପଦକ୍ଷେପ ନିଆଯାଉ ବୋଲି ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।