୬ ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ, ଖାଦ୍ୟରୁ ବଞ୍ଚିତ ଛାତ୍ରଛାତ୍ରୀ, ପରିଚାଳନା କମିଟି-ପାଚିକା ସଂଘ ମୁହାଁମୁହିଁ
ବରୀ, ୦୮/୦୯ ( ରଂଜିତ ମହାନ୍ତି ) : ବାଇଁଶିରିଆ ପଞ୍ଚାୟତର ମଣିଭଦ୍ର ନୋଡାଲ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତିକୁ ନେଇ ପରିଚାଳନା କମିଟି ଓ ପାଚିକାଙ୍କ ମଧ୍ୟରେ ବିବାଦରୁ ୬ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ ରହିଛି। ପିଲାଙ୍କ ମିଳୁନାହିଁ ଖାଦ୍ୟ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ ପରେ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା ଅଭିଯୋଗ ଉଠିଥିଲା | ଏନେଇ କମିଟି ପକ୍ଷରୁ ବିଇଓଙ୍କ ନିକଟରେ ଗତ ୩୧ ତାରିଖରେ ଅଭଯୋଗ ହୋଇଥିଲା । ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ମଧ୍ୟ ଅନୁରୂପ ଅଭିଯୋଗ ସହିତ ପାଚିକାଙ୍କ ବ୍ୟବହାରକୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ନେଇ କମିଟି ପକ୍ଷରୁ ରୋଷେଇଘରେ ତାଲା ପକାଇ ଦିଆଯାଇଥିଲା। ଆଜି ପାଚିକା ବିଦ୍ୟୁଲତା ପଣ୍ଡା ରୋଷେଇ କରିବାକୁ ଚାବି ମାଗିବାରୁ ତାଙ୍କୁ ଧକ୍କା ମାରି ବାହାର କରି ଦିଆଯାଇଥିଲା ବୋଲି ସେ ଅଭଯୋଗ କରିଛନ୍ତି। ଖବରପାଇ ବରୀ ପାଚିକା ସଂଘ ସଭାପତି ସୁମିତ୍ରା ରଥ ପହଞ୍ଚି ଅନ୍ୟ ବିଦ୍ୟାଳୟର ପାଚିକାମାନଙ୍କୁ ଡାକି ପାଲ ପକାଇ ବସିଥିଲେ। ଏହାକୁ ନେଇ ପରିଚାଳନା କମିଟି ଓ ପାଚିକା ସଂଘ ମୁହାଁମୁହିଁ ହୋଇଥିଲେ ।