Hot Posts

6/recent/ticker-posts

ଆମାନାରା ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର

ନୂଆପଡ଼ା, ୦୭/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ବ୍ଲକ ଅନ୍ତର୍ଗତ ଆମାନାରା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ସହ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ବିଡିଓ ରୋହିତ ଭୋଇ, ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ ଓ ସ୍ଥାନୀୟ ସରପଞ୍ଚ ଚନ୍ଦନ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ମାନସୀ ମାଝୀଙ୍କୁ କୋଳରେ ଧରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିଶୁର ପିତାମାତାଙ୍କୁ ଉପହାର ଓ ବୃକ୍ଷଚାରା ପ୍ରଦାନ କରାଯାଇଥିଲା। ସେହିପରି ଗ୍ରାମର ଦୁଇଜଣ ଗର୍ଭବତୀ ମହିଳାଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ନିଜ ଅଭିଭାଷଣ ଆରମ୍ଭରେ ନୂଆଖାଇ ଜୁହାର ଜଣାଇ ଜିଲ୍ଲାପାଳ ଆମାନାରାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜଣେ ଯୁବ ସରପଞ୍ଚଙ୍କୁ ନିର୍ବାଚିତ କରିଥିବାରୁ ସେ ପଞ୍ଚାୟତବାସୀଙ୍କୁ ଧନ୍ୟବାଦ ଦେଇ ଯୁବ ନେତୃତ୍ୱ ମାଧ୍ୟମରେ ପଞ୍ଚାୟତର ବିକାଶକୁ ଆହୁରି ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ। ପ୍ରବାସୀ ଶ୍ରମିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ କହିଥିଲେ ଯେ, ବାହାର ରାଜ୍ୟକୁ ଯାଇ ଶ୍ରମିକମାନେ ଅନେକ ସମୟରେ ଶୋଷଣର ଶିକାର ହେଉଛନ୍ତି। ଭିବିଜି-ରାମ-ଜି (VBG-RAM-G) ସମେତ ବିଭିନ୍ନ ସରକାରୀ ପ୍ରକଳ୍ପରେ କାମ କରି ପରିବାରଗୁଡ଼ିକ ନିଜ ଅଞ୍ଚଳରେ ରହି ଭଲ ଆୟ କରିପାରିବେ ବୋଲି ସେ କହିଥିଲେ। ଗାଁକୁ ଆସି ଶ୍ରମିକମାନଙ୍କୁ ବାହାରକୁ ନେଉଥିବା ଶ୍ରମିକ ସର୍ଦ୍ଦାରମାନଙ୍କ ଉପରେ ନଜର ରଖିବା ସହ ନୂଆଖାଇ ପରେ ଯେପରି କୌଣସି ଶ୍ରମିକ ପ୍ରବାସ ନ କରନ୍ତି, ସେଥିପାଇଁ ପଞ୍ଚାୟତ ପ୍ରତିନିଧିମାନେ ସକ୍ରିୟ ଭୂମିକା ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଗାଁରେ ରହି ଜୀବିକା ସୁଦୃଢ଼ କଲେ ଗାଁର ବିକାଶ ଓ ସମୃଦ୍ଧି ହେବ ବୋଲି ସେ କହିଥିଲେ। ଏହି ଅବସରରେ ୨୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଆଇନ (FRA) ପଟ୍ଟା, ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ସମେତ ବିଭିନ୍ନ ସରକାରୀ ଯୋଜନାର ସହାୟତା ପ୍ରଦାନ କରାଯାଇଥିଲା। ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକ ମନୋହର ଲାଲ ସାହୁ ଓ ଅବସରପ୍ରାପ୍ତ ଡାକ କର୍ମଚାରୀ ବେଣୀରାମ ମାଝୀଙ୍କୁ ‘ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ କରାଯାଇଥିଲା। ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅବସରରେ ପକ୍ଷୀଙ୍କ ପାଇଁ ପାଣି ଓ ଖାଦ୍ୟର ବ୍ୟବସ୍ଥା କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା। ଏହା ମାଧ୍ୟମରେ ପରିବେଶ ସୁରକ୍ଷା ଓ ଜୈବବିବିଧତା ସଂରକ୍ଷଣର ବାର୍ତ୍ତା ଦିଆଯାଇଥିଲା। ଜିଲ୍ଲାପାଳ ଦଶମ ଶ୍ରେଣୀର ଛାତ୍ରୀ ସୁଜାତା ପଟେଲଙ୍କ ଘର ପରିଦର୍ଶନ କରି ତାଙ୍କ ପାଠପଢ଼ା ଓ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପଚାରିବା ସହ ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ଏହାସହ ଜଣେ ପ୍ରବାସୀ ଶ୍ରମିକ ପରିବାର ସହ ଆଲୋଚନା କରି ପୁନର୍ବାର ପ୍ରବାସ ନ କରି ନିଜ ଅଞ୍ଚଳରେ ଜୀବିକାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ପରିବାରକୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇଦେବାକୁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୨୩ ଜଣ ସ୍ୱଚ୍ଛତା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମ୍ବଲପୁରୀ ଭାଷାରେ ପ୍ରସ୍ତୁତ ସ୍ୱଚ୍ଛତା ସଙ୍ଗୀତ ଉନ୍ମୋଚନ କରାଯାଇଥିବାବେଳେ ସ୍ୱଚ୍ଛତା କର୍ମଚାରୀମାନେ ଏହି ସଙ୍ଗୀତର ତାଳେ ନୃତ୍ୟ ପରିବେଷଣ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ସାଂସ୍କୃତିକ ଓ ସଚେତନତାଧର୍ମୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଆମାନାରା ପଞ୍ଚାୟତବାସୀଙ୍କୁ ନିଜ ଅଞ୍ଚଳରେ ରହି ଜୀବିକା ସୁଦୃଢ଼ କରିବା, ସରକାରୀ ଯୋଜନାର ସୁଫଳ ନେବା ଏବଂ ପ୍ରବାସକୁ ରୋକି ସୁରକ୍ଷିତ ଓ ସମୃଦ୍ଧ ଗ୍ରାମ ଗଠନ ପାଇଁ ସାମୂହିକ ଭାବେ ଆଗେଇ ଆସିବାର ବାର୍ତ୍ତା ଦିଆଯାଇଥିଲା।