ବ୍ରହ୍ମକୁମାରୀର ୧୦ କୋଟି ନିଶାମୁକ୍ତ ଅଭିଯାନ।
ଜୟପୁର, ୦୭/୦୮ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ବିଶ୍ଵ କଲ୍ୟାଣ ଭବନଠାରେ ୧୦ କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନର ଶୁଭାରମ୍ଭ କରାଯାଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଓ ଗୃହ ମନ୍ତ୍ରାଳୟ ସହ ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟର ମେଡିକାଲ ୱିଙ୍ଗ୍ର ପାରସ୍ପରିକ ଚୁକ୍ତି ସ୍ଵାକ୍ଷର ଆଧାରରେ ସର୍ବ ଭାରତ ସ୍ତରରେ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଅନ୍ତର୍ଭୁକ୍ତ କରି ୧୦ କୋଟି ଜନତାଙ୍କ ମଧ୍ୟରେ ନିଶାମୁକ୍ତ ପ୍ରତିଜ୍ଞା କରାଇ ସେମାନଙ୍କୁ ଏଥିରୁ ନିବୃତ୍ତ ରଖିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏହାଦ୍ଵାରା ବିକଶିତ ଭାରତ ସୁରକ୍ଷିତ ଭାରତ ସୁଦୃଢ଼ ଭାରତ ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିବା ବ୍ୟସନ ଗୁଡ଼ିକ ପ୍ରତି ସଚେତନତା ଜାଗ୍ରତ କରିବାର ଏକ ମହାନ୍ ଲକ୍ଷ୍ୟ ନେଇ ଆଜି ନିଶାମୁକ୍ତି ମହାଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଯଦୁମଣୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଏବ˚ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବ୍ରହ୍ମକୁମାର ଗୌରାଙ୍ଗ ଚରଣ ସାହୁ ଯୋଗ ଦେଇଥିଲେ। କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଜୟନ୍ତୀ ଦିଦି ନିଶାର ବିଭିନ୍ନ ଦିଗରୁ ବ୍ୟକ୍ତି ପରିବାର ସମାଜ ତଥା ଦେଶ ପ୍ରତି ପଡ଼ୁଥିବା ଦୁଷ୍ପ୍ରଭାବ ଓ କିପରି ସହଜ ମାନସିକ ସଂକଳ୍ପ ଏବଂ ରାଜଯୋଗ ଅଭ୍ୟାସ ଦ୍ଵାରା ନିଜକୁ ନିଶା ସେବନରୁ ମୁକ୍ତ ରଖିପାରିବେ ତାହା ବୁଝାଇଥିଲେ। ମୁଖ୍ୟ ଅତିଥି ଉପ-ଜିଲ୍ଲାପାଳ ଛୋଟ ଛୋଟ ବୟସର ପିଲାମାନଙ୍କୁ କିପରି ନିଶା ସେବନରୁ ଦୂରେଇ ରଖାଯାଇପାରିବ, ସେଥିପାଇଁ ପ୍ରତ୍ୟେକ ମାତା-ପିତାଙ୍କୁ ସଚେତନ ରହିବାକୁ ଅନୁରୋଧ କରିଥିଲେ। ଉପ-ଜିଲ୍ଲାପାଳ ଓ ଉପସ୍ଥିତ ସଦସ୍ୟବୃନ୍ଦ ବ୍ରହ୍ମାକୁମାରୀ ଭବନରୁ ପତାକା ଦେଖାଇ ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ମଞ୍ଜୁ ସୋଦରୀ ଏବଂ ଅନ୍ୟାନ୍ୟ ଭାଇ-ଭଉଣୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।