ମା ' ବ୍ୟାଘ୍ରଦେବୀଙ୍କୁ ଦର୍ଶନ କଲେ ବିକ୍ରମ ପଣ୍ଡା ଓ ପରିବାର
ଭଞ୍ଜନଗର, ୦୬/୦୯ ( ଜେ. କେ ପଟ୍ଟନାୟକ ) : ବହୁ ଚର୍ଚିତ ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି ।ସେ ଜେଲ ରୁ ମୁକୁଳିବା ପାଇଁ ବହୁ ଦେବାଦେବୀଙ୍କୁ ପ୍ରାର୍ଥନାକରିବା ସହ ମାନସିକ ମଧ୍ୟ ରଖିଥିଲେ।ହାଇକୋର୍ଟ ରୁ ସର୍ତ୍ତମୂଳକ ଜାମିନ ପାଇ ଜେଲ୍ ରୁ ବାହାରିବା ପରେ ବିକ୍ରମ ନିଜର ମାନସିକ ପୂରଣ ସହ ଦଳୀୟ ସଂଗଠନ ସୁଦୃଢ ଲକ୍ଷ୍ୟରେ ରବିବାର ନିଜ ପରିବାର ସହ ଭଞ୍ଜନଗର ଗସ୍ତରେ ଆସି କୁଲାଡ଼ ସ୍ଥିତ ବ୍ୟାଘ୍ରଦେବୀ ପୀଠରେ ପହଞ୍ଚି ମା’ଙ୍କ ଆଳତି ଓ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ବିଜେଡିର ବହୁ ନେତା ଓ ସମର୍ଥକ ଉଭୟ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ବିକ୍ରମ ପଣ୍ଡାଙ୍କୁ ସ୍ୱାଗତ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋରଡ଼ାର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସ୍କାର ପୂର୍ବତନ ଏମପି ପ୍ରାର୍ଥୀନି ରଂଜିତା ସାହୁ, ଭଞ୍ଜନଗର ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ରହ୍ମପୁରର ନେତା ଜ୍ୟୋତି ସାହୁ, ଅଜୟ ମହାରଣା, ଦୁର୍ଗା ପ୍ରସାଦ ପଣ୍ତା, ସୀତାରାମ ପଣ୍ତା, ଚନ୍ଦ୍ରମଣି ନାୟକ, ସମେତ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ଏବଂ ଭଞ୍ଜନଗର ଓ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେଡିର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ୧୦ମାସ ଧରି ଜେଲରେ ରହିବା ପରେ ନିକଟରେ ଜାମିନରେ ମୁକୁଳିଥିଲେ। ଜାମିନରେ ବାହାରିବା ପରେ ନିଜ ମାନସିକ ପୂରଣ ଉଦ୍ଦେଶ୍ୟରେ ସେ ପ୍ରଥମେ ମା’ ବ୍ୟାଘ୍ରଦେବୀଙ୍କ ଦର୍ଶନ କରିବା ସହ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ଏଥିସହ ଭଞ୍ଜନଗର ବନ ବିହାର ପରିସରରେ ଆୟୋଜିତ ଭୋଜିରେ ସେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଆସ୍କା ଅଭିମୁଖେ ଯାଇ ସେଠାରେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ବିକ୍ରମ ଜେଲ୍ ରୁ ଜାମିନରେ ବାହାରିବା ପରେ ଗଞ୍ଜାମ ଜିଲା ରାଜନୀତି ପୁଣି ଚଳଚଞ୍ଚଳ ହୋଇଯାଇଛି ।ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିକ୍ରମଙ୍କ ନେତୃତ୍ୱ ନିଶ୍ଚିତ ରାଜନୀତିରେ ପ୍ରଭାବ ହଟ ଚମଟ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି।