Hot Posts

6/recent/ticker-posts

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

କର୍ଲାମୁଣ୍ଡା, ୦୭/୦୮ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି। ବିଦ୍ୟାଳୟ ପରିସରରେ ପାଣି ଜମି ରହୁଥିବା ଦେଖାଯାଇଛି। ଏହି ସମସ୍ୟା ପ୍ରତିବର୍ଷ ହେଉଥିବା ବେଳେ ପ୍ରସାଶନ ପକ୍ଷରୁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଅସୁରକ୍ଷିତ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠ ପଢ଼ା। ଏହି ସ୍କୁଲରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ମୋଟ ୧୧୬ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରନ୍ତି। ସ୍କୁଲ ପରିସର ମଧ୍ୟରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି। ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଡ୍ରେନର ଅଳିଆ ଆବର୍ଜନା ଅପରିଷ୍କାର ପାଣିସମେତ ପୋଖରୀ ଓ ନିକଟସ୍ଥ କ୍ଷେତ ର ପାଣି ସ୍କୁଲ ସମ୍ମୁଖରେ ଜମି ରହୁଛି। ଏଠାରେ ମାସ ମାସ ଧରି ଦୂଷିତ ପାଣି ଜମି ରହିବା ଯୋଗୁଁ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ସ୍କୁଲ ର କୋମଳମତି ଛାତ୍ରୀ ଛାତ୍ର ଓ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ସମେତ ଗର୍ବବତୀ ମହିଳା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଶିଶୁ ମାନେ ଗୋଡ଼ ଖସି ପଡ଼ି ଯାଉଥିବା ଦେଖାଯାଏ। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସେଠ ଙ୍କୁ ପଚାରିବାରୁ ବିଗତ ବର୍ଷ ଠାରୁ ଗ୍ରାମର ଗ୍ରାମ୍ୟ ଉନ୍ନୟନ ସମିତି, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା, ବିଡ଼ିଓ ଙ୍କୁ ଜଣେଇଥିବା ଶ୍ରୀ ସେଠ କହିଛନ୍ତି। କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିନାହିଁ। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅଭି ଭାବକ ମହଲରେ ଦାବି ହେଉଛି। ଖବର ପାଇ ସରପଞ୍ଚ ପ୍ରମୋଦ ସୁନା ଓ ସିଆରସିସି ହେମନ୍ତ ନାଏକ, ସ୍କୁଲ ପରିଚାଳନା କମିଟି ସଭାପତି ବିଶମ୍ବର ଭୋଇ ଙ୍କ ସମେତ କମିଟି ସଭ୍ୟ ମାନେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏନେଇ କମିଟି ପକ୍ଷରୁ ଗ୍ରାମ ଉନ୍ନୟନ କମିଟି ଓ ବିଡ଼ିଓ ଙ୍କୁ ଏହାର ସ୍ଥାୟୀ ସମାଧାନ ପାଇଁ ଲିଖିତ ନିବେଦନ କରାଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ସରପଞ୍ଚ ଶ୍ରୀ ସୁନା କହିଛନ୍ତି ଯେ ଏଥିପାଇଁ ବର୍ତମାନ ସେ ଦେଢ଼ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ଏବଂ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟାମ କରାଯିବ।