ମଧ୍ୟାହ୍ନ ଭୋଜନ ଚାଉଳ ଓ ପ୍ୟାଡ୍ ହଡ଼ପ ଉଦ୍ୟମ
ଝରିଗାଁ, ୧୫/୦୮ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବକଡ଼ା ବେଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝୀ ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣ କାନ୍ତି ମହାପାତ୍ରଙ୍କ ନାମରେ ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ଓ ସାନିଟାରୀ ପ୍ୟାଡ୍ ହଡ଼ପ କରିବା ଭଳି ସମ୍ବେଦନଶୀଳ ଅଭିଯୋଗ ଆସିଛି। ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ୍ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ୧୫୦ କେଜି ଚାଉଳ ସହ ଗୋଟିଏ ବସ୍ତା ପ୍ୟାଡ୍ (PAD)କୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଏକ ଅଟୋ ଯୋଗେ ନିଜ ଘରକୁ ନେଉଥିଲେ। ଏହି ସମୟରେ ଗ୍ରାମବାସୀମାନେ ତାଙ୍କୁ ସନ୍ଦେହରେ ଅଟକାଇବା ସହ ଚାଉଳ ଓ ପ୍ୟାଡ୍ ବସ୍ତା ସହ ଧରିଥିଲେ। ଗ୍ରାମବାସୀ ଏ ନେଇ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ତୁରନ୍ତ ସେହି ଚାଉଳ ଓ ପ୍ୟାଡ୍ ବସ୍ତାକୁ ସ୍କୁଲ ଭିତରକୁ ନେଇ ରଖି ଦେଇଥିଲେ। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଗ୍ରାମର ସୁନ୍ଦର୍ ଦାସ, ନାରାୟଣ ଦାସ, ତୁଳସୀ ଦାସ, ହୀରା ଦାସ, କୈଳାଶ ଦାସ, ବନ୍ଦୁ ଭତରା ଓ ସୁରେନ୍ଦ୍ର ଦାସ ପ୍ରମୁଖ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଜି ଶିକ୍ଷା ଅଧିକାରୀ ମାଝୀ ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରିଛନ୍ତି। ଘଟଣାର ସତ୍ୟାସତ୍ୟ ପରଖିବା ପରେ ଦୋଷୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ଆକ୍ରୋଶ ଓ କ୍ଷୋଭ ପ୍ରକାଶ ପାଇଛି। କୋମଳ ମତି ଛାତ୍ରଛାତ୍ରୀଙ୍କ ପାଟିରୁ ଆହାର ଛଡ଼ାଇ ନେଉଥିବା ଏହି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ କିମ୍ବା ଅନ୍ୟତ୍ର ବଦଳି କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ସରକାରୀ ସ୍କୁଲରେ ପିଲାଙ୍କ ପୋଷଣ ଓ ପାଠପଢ଼ା ପାଇଁ ଆସୁଥିବା ଚାଉଳକୁ ଯଦି ଦାୟିତ୍ୱରେ ଥିବା ମୁଖ୍ୟ ନିଜ ଘରକୁ ନେଇଯିବେ ତେବେ ପିଲାମାନେ କ’ଣ ଖାଇ ପାଠ ପଢ଼ିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।