ଲଘୁଚାପଜନିତ ବର୍ଷାରେ ଡୋକରିଚଞ୍ଚରା ବ୍ରିଜ୍ ରାସ୍ତା ଭାଙ୍ଗିଲା, ଯାତାୟାତ ବିଚ୍ଛିନ୍ନ
କୋକସରା, ୨୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଲଘୁଚାପଜନିତ ଲଗାଣ ବର୍ଷାରେ ଗୁଡ଼ାହାଣ୍ଡି ଡୋକରିଚଞ୍ଚରାକୁ ସଂଯୋଗ କରୁଥିବା ବ୍ରିଜ୍ ରାସ୍ତା ଭାଙ୍ଗିଯାଇଛି। ଫଳରେ ଡୋକରିଚଞ୍ଚରାକୁ ଯାତାୟାତ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରବଳ ବର୍ଷାଜଳ ରାସ୍ତା ଉପରେ ଦେଇ ପ୍ରବାହିତ ହେଉଥିବାରୁ ଯାତାୟାତ ବନ୍ଦ ହୋଇଛି। ଏହା ଯୋଗୁଁ ଅଞ୍ଚଳବାସୀଙ୍କ ସମେତ ଡୋକରିଚଞ୍ଚରାକୁ ଯାଉଥିବା ପର୍ଯ୍ୟଟକମାନେ ମଧ୍ୟ ହଇରାଣ ହେଉଛନ୍ତି। ଏପରିକି କାଉଡ଼ିଆ ପର୍ଯ୍ୟଟକମାନେ ଫସିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷାରେ କୋକସରା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକରିଚଞ୍ଚରାକୁ ସଂଯୋଗ କରୁଥିବା ବ୍ରିଜ୍ ରାସ୍ତା ଭାଙ୍ଗିଯାଇଛି। ରାସ୍ତା ଉପରେ ପ୍ରବଳ ବେଗରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଡୋକରିଚଞ୍ଚରା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଏଠାକୁ ବହୁ ପର୍ଯ୍ୟଟକଙ୍କ ଯାତାୟାତ ରହିଥାଏ। ବର୍ତ୍ତମାନ ରାସ୍ତା ବିଚ୍ଛିନ୍ନ ହୋଇଯିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି। କାଉଡ଼ିଆ ପର୍ଯ୍ୟଟକମାନେ ଅଞ୍ଚଳରେ ଫସିଥିବା ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ଘଟଣାସ୍ଥଳରେ ନଜର ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ