ମହାନଦୀର ପ୍ରଖର ସ୍ରୋତରୁ ୭୨ ବର୍ଷୀୟ ବୃଦ୍ଧଙ୍କୁ ଜୀବନ୍ତ ଉଦ୍ଧାର, ଜୀବନକୁ ବାଜି ଲଗାଇ ସାହସ ଦେଖାଇଲେ ଯୁବକ, ଥାନା ପକ୍ଷରୁ ସମ୍ମାନିତ
ଜଗତପୁର, ୨୩/୦୮ ( କାହୁଁ ଚରଣ ବାରିକ ) : ମହାନଦୀ ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥିବା ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ପ୍ରଖର ଜଳସ୍ରୋତ ମଧ୍ୟରୁ ନିଜ ଜୀବନକୁ ବାଜି ଲଗାଇ ସାହସିକତାର ସହ ଉଦ୍ଧାର କରିଛନ୍ତି ଜଣେ ସ୍ଥାନୀୟ ଯୁବକ। ତାଙ୍କ ଏହି ସାହସିକତା ଓ ମାନବିକତା ପାଇଁ ଜଗତପୁର ଥାନା ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ଉଦ୍ଧାର ହୋଇଥିବା ବୃଦ୍ଧ ହେଲେ ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହଳଦୀବସ୍ତା ଗ୍ରାମର ପ୍ରତାପ ଚନ୍ଦ୍ର ସାମଲ (୭୨)। ସେ ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳରେ ରହୁଥିଲେ। କିଛିଦିନ ପୂର୍ବରୁ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିବାରୁ ସେ ମାନସିକ ଭାବେ ଚିନ୍ତାଗ୍ରସ୍ତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ପ୍ରତାପ କୌଣସି କାରଣରୁ ଜଗତପୁର ପାର୍ଶ୍ୱ ମହାନଦୀ ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ। ସେତେବେଳେ ମହାନଦୀରେ ପାଣି ଭରପୂର ରହିବା ସହ ସ୍ରୋତ ମଧ୍ୟ ତୀବ୍ର ଥିଲା। ଜଳସ୍ରୋତରେ ଭାସି ସେ ପ୍ରାୟ ୩ କିଲୋମିଟର ଦୂର ସୁନାରୀ ବଣ ନିକଟରେ ପହଞ୍ଚିଥିଲେ। ଘଟଣାଟି ଦେଖିବା ପରେ ସ୍ଥାନୀୟ ୨୬ ବର୍ଷୀୟ ଯୁବକ ସନାତନ ପାଳିଆ ତୁରନ୍ତ ଉଦ୍ଧାର ପାଇଁ ଆଗେଇ ଆସିଥିଲେ। ମହାନଦୀର ପ୍ରଖର ସ୍ରୋତକୁ ଖାତିର ନକରି ସେ ନଦୀ ମଧ୍ୟକୁ ପ୍ରବେଶ କରି ପ୍ରତାପଙ୍କ ନିକଟରେ ପହଞ୍ଚିଥିଲେ। ପରେ ତାଙ୍କୁ ଧରି ସୁରକ୍ଷିତ ଭାବେ ନଦୀକୂଳକୁ ଆଣିବାରେ ସଫଳ ହୋଇଥିଲେ। ଫଳରେ ୭୨ ବର୍ଷୀୟ ବୃଦ୍ଧଙ୍କ ଜୀବନ ରକ୍ଷା ପାଇଥିଲା। ସନାତନଙ୍କ ଏହି ସାହସିକତା ଓ ମାନବିକତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି। ଜୀବନକୁ ବିପଦରେ ପକାଇ ଜଣେ ବୃଦ୍ଧଙ୍କ ଜୀବନ ରକ୍ଷା କରିଥିବାରୁ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ତାଙ୍କୁ ସମ୍ମାନିତ କରିଥିଲେ। ଉଦ୍ଧାର ପରେ ପ୍ରତାପ ଚନ୍ଦ୍ର ସାମଲଙ୍କ ଆବଶ୍ୟକ ଯତ୍ନ ନିଆଯାଇଥିଲା। ପରେ ତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିବା ଜଗତପୁର ଥାନା ପକ୍ଷରୁ ସୂଚନା ମିଳିଛି। ସନାତନ ପାଳିଆଙ୍କ ଏହି ସାହସିକ ପଦକ୍ଷେପ ମାନବିକତା ଓ ପରୋପକାରର ଏକ ଉଦାହରଣ ପାଲଟିଛି।