ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ , ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ l
ସିନାପାଲି, ୨୫/୦୭ ( ପରମେଶ୍ୱର ମେହେର ) : ଗତକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଆଜି ଶନିବାର ପୂର୍ବାହ୍ଣରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ଅନୁଷ୍ଠିତ ହୋଇଛି l ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ସୁନା ଏବଂ ରୂପା ତିଆରି କିରୀଟି, ଓଢ଼ିଆଣୀ, ଶ୍ରୀଭୁଜ, ଶ୍ରୀପୟର, ମାଳି, କମରପଟି, ଚକ୍ର, କୁଣ୍ତଳ ଆଦି ଅଲଙ୍କାରରେ ସୁସଜ୍ଜିତ କରାଯାଇଥିଲା l ଏହା ପରେ ଅପରାହ୍ଣରେ ତିନି ରଥ ଉପରେ ଅଧରପଣା ନୀତି କରାଯାଇ ସଂଧ୍ଯାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଏବର୍ଷର ନବଦିନାତ୍ମକ ଯାତ୍ରା ସଂପନ୍ନ କରାଯାଇଥିଲା l ଶ୍ରୀଜୀଉଙ୍କ ଏସବୁ ନୀତି ଦେଖିବାକୁ ମନ୍ଦିର ନିକଟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା l ଗତକାଲି ବାହୁଡ଼ାରେ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଲା ପରେ ସାମୁହିକ ନୂଆଖାଇ ଭେଟଘାଟ ପରିବାର ତରଫରୁ ଭଜନ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସୂଚନାଯୋଗ୍ଯ ଯେ, ୨୦୧୩ରେ ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ପୁରୀ ଗଜପତି ମହାରାଜଙ୍କ ପରାମର୍ଶରେ ଏଠାରେ ପ୍ରତିବର୍ଷ ଶ୍ରୀଜିଉଙ୍କ ସୁନାବେଶ ସହ ପ୍ରାୟ ସମସ୍ତ ରୀତିନୀତି ଅନୁଷ୍ଠିତ ହେଉଛି l