ଶ୍ରେଣୀଗୃହ ଛାତରୁ ଖସୁଛି ପ୍ଲାଷ୍ଟର, ବିପଦ ମଧ୍ୟରେ ପାଠପଢ଼ା
ଜୟପାଟଣା, ୧୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ବଡକର୍ଲାକୋଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅବହେଳିତ ଭିତ୍ତିଭୂମି ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟର କେତେକ ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର ଖସୁଥିବା ବେଳେ ସେହି ବିପଦପୂର୍ଣ୍ଣ କୋଠରୀରେ ପ୍ରତିଦିନ ପାଠପଢ଼ା ଚାଲିଛି। ସ୍ଥାନୀୟ ଲୋକ ଓ ଅଭିଭାବକ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକର୍ଲାକୋଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର କେତେକ ଶ୍ରେଣୀଗୃହ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଶ୍ରେଣୀଗୃହର ଛାତରୁ ପ୍ଲାଷ୍ଟର ଖସିପଡୁଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି। ତଥାପି ସେହି କୋଠରୀରେ ପ୍ରତିଦିନ ଛାତ୍ରଛାତ୍ରୀମାନେ ପାଠପଢ଼ୁଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ କହିବା ଅନୁସାରେ, ଶ୍ରେଣୀଗୃହର ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସବୁବେଳେ ଭୟ ଲାଗି ରହୁଛି। ସ୍ଥାନୀୟ ଲୋକ ଓ ଅଭିଭାବକମାନେ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାୟୀ ମରାମତି କାମ ହୋଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଭୟ ଓ ଆଶଙ୍କା ମଧ୍ୟରେ ପାଠପଢ଼ା ଜାରି ରହିଛି। ଏବେ ପ୍ରଶ୍ନ ଉଠୁଛି, କୌଣସି ଅଘଟଣ ଘଟିବା ପରେ ପ୍ରଶାସନ ଚେତିବ, ନା ତାହା ପୂର୍ବରୁ ବିଦ୍ୟାଳୟର ମରାମତି କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବ? ଏବେ ସମସ୍ତଙ୍କ ନଜର ପ୍ରଶାସନର ପଦକ୍ଷେପ ଉପରେ ରହିଛି।