ବାହୁଡ଼ା ଯାତ୍ରା ଅବସରରେ ସିନାପାଲିରେ ବ୍ୟାପକ ସ୍ୱଚ୍ଛତା ଅଭିଯାନ
ସିନାପାଲି, ୨୪/୦୭ ( ପରମେଶ୍ୱର ମେହେର ) : ବାହୁଡ଼ା ଯାତ୍ରା ଅବସରରେ ସ୍ୱଚ୍ଛ ଓ ସୁନ୍ଦର ସିନାପାଲି ଗଠନର ବାର୍ତ୍ତା ନେଇ ପୁଣିଥରେ ଅଭିନବ ପଦକ୍ଷେପ ନେଇଛି ସଂକଳ୍ପ ସେବା ସଂଘ, ସିନାପାଲି । ସଂଘର ସଦସ୍ୟମାନେ ନିଜର ବ୍ୟସ୍ତ ସମୟରୁ ସମୟ ବାହାର କରି ଭୋର ସକାଳୁ ସହରର ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିବା ସହ ରାସ୍ତାଘାଟ ସଫେଇ କରି ସାଧାରଣ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିଛନ୍ତି । ସଂଘ ପକ୍ଷରୁ ସିନାପାଲି ବସଷ୍ଟାଣ୍ଡ, ମାଉସୀ ମନ୍ଦିର ପରିସର, ବରୁଣ ଛକ, ମହୁଲଗୋଛିଏନ ପଡ଼ା, ସା ପଡ଼ା, ମହାଜନ ପଡ଼ା, ନୀଳଚକ୍ର ଛକ, ବସ୍ତି ରାସ୍ତା ଓ ଜଗନ୍ନାଥ ଛକ ଆଦି ପ୍ରମୁଖ ସ୍ଥାନରେ ସଫେଇ କରାଯାଇଥିଲା । ବାହୁଡ଼ା ଯାତ୍ରା ଭଳି ଏକ ବଡ଼ ଧାର୍ମିକ ଉତ୍ସବ ସମୟରେ ଅଧିକ ଲୋକଙ୍କ ସମାଗମ ହେଉଥିବାରୁ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇ ସଂଘର ଏହି ପ୍ରୟାସ ସାଧାରଣରେ ପ୍ରଶଂସା ସାଉଁଟିଛି । ଏହି ସ୍ୱଚ୍ଛତା ଅଭିଯାନରେ ଚିତ୍ତରଞ୍ଜନ ମେହେର (ଜଗା), ଗଣେଶ ରାମ ମେହେର, ପ୍ରଦୀପ ବେହେରା, ସାନୁର୍ଯ୍ୟ ମେହେର, ଅମିତ ଜୈନ, ନରେଶ କୁମାର ମାଝୀ, ଲିଙ୍ଗରାଜ ଜଗତ (ମନୋଜ), ବୁଦ୍ଧଦେବ ମେହେର (ରାଜୁ), ରମେଶ ମେହେର (ଟୁନା) ଓ ଗିରିଶ ମାଝୀ ପ୍ରମୁଖ ସେବକ ସମୟ ଦେଇ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ । ଏଥିସହ ସିନାପାଲି ଥାନାର ଏସ୍ଆଇ ସହଦେବ ଯୋଷୀ ଓ ରାମେଶ୍ଵର ବାଗ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ସହଯୋଗ କରିଥିଲେ ।ସଂଘର ସଦସ୍ୟମାନେ କହିଛନ୍ତି ଯେ, ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ । ସହରକୁ ସଫା ରଖିବା ପାଇଁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିୟମିତ ସଚେତନ କରାଯିବା ସହ ଆବର୍ଜନା ନିର୍ଦ୍ଧାରିତ ସ୍ଥାନରେ ପକାଇବା, ରାସ୍ତାଘାଟରେ କିମ୍ବା ଡ୍ରେନ ରେ ଅଳିଆ ନ ପକାଇବା ଏବଂ ସାର୍ବଜନୀନ ସ୍ଥାନକୁ ପରିଷ୍କାର ରଖିବା ନେଇ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ହେବା ଆବଶ୍ୟକ । ଉଲ୍ଲେଖଯୋଗ୍ୟ, ସଂକଳ୍ପ ସେବା ସଂଘ ପୂର୍ବରୁ ମଧ୍ୟ ରଥଯାତ୍ରା ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରି ସାଧାରଣରେ ପ୍ରଶଂସା ସାଉଁଟିଥିଲା । ଧାର୍ମିକ ଉତ୍ସବ ସହ ସାମାଜିକ ଦାୟିତ୍ୱକୁ ଯୋଡ଼ି ସଂଘର ଏଭଳି ପ୍ରୟାସ ଯୁବପିଢ଼ି ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ପାଲଟିଛି । ସ୍ୱଚ୍ଛ ସିନାପାଲି, ସୁସ୍ଥ ସିନାପାଲି ଗଠନ ପାଇଁ ପ୍ରଶାସନର ପଦକ୍ଷେପ ସହ ସାଧାରଣ ଲୋକଙ୍କ ସଚେତନତା ଓ ସହଯୋଗ ନିହାତି ଆବଶ୍ୟକ । ସଂଘର ଏହି ସେବାମୂଳକ ପ୍ରୟାସ ଆଗାମୀ ଦିନରେ ଅଧିକ ଲୋକଙ୍କୁ ସ୍ୱଚ୍ଛତା ଅଭିଯାନ ସହ ଯୋଡ଼ିବାରେ ପ୍ରେରଣା ଦେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।