ଅଙ୍ଗନବାଡ଼ି କର୍ମୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଆଲୋଚନା
କଳାହାଣ୍ଡି, ୨୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଭବାନୀପାଟଣାରେ ଜିଲ୍ଲାର ଅଙ୍ଗନବାଡ଼ି କର୍ମୀ, ହେଲ୍ପର ଓ ସୁପରଭାଇଜରମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। କର୍ମୀମାନେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନ ଦେଇଛନ୍ତି। ଭବାନୀପାଟଣାସ୍ଥିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ପରିସରରେ ଆୟୋଜିତ ଏହି ସମୀକ୍ଷା ଓ ଆଲୋଚନା ସଭାରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସିଡିଓ-କମ୍-ଇଓ ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଅଙ୍ଗନବାଡ଼ି କର୍ମୀ ଓ ସୁପରଭାଇଜରମାନେ ଅଣ୍ଡା ଦର ବୃଦ୍ଧି ଯୋଗୁଁ ଯୋଗାଣରେ ସମସ୍ୟା, ସମ୍ମାନରାଶି ବୃଦ୍ଧି, ପ୍ରୋତ୍ସାହନ ରାଶିକୁ ଏକକାଳୀନ ପ୍ରଦାନ, ଆକସ୍ମିକ ବ୍ୟୟ ପାଇଁ ଅଧିକ ଅର୍ଥ, ମୋବାଇଲ୍ ଫୋନ୍ ସୁବିଧା ଏବଂ ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଭଳି ବିଭିନ୍ନ ଦାବି ଉଠାଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କର୍ମୀମାନଙ୍କ ସମସ୍ୟା ଧୈର୍ଯ୍ୟର ସହ ଶୁଣି ସରକାର ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦେବା ସହ ଜିଲ୍ଲା ପ୍ରଶାସନକୁ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ