କଳାହାଣ୍ଡି, ୧୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଳ ଷ୍ଟେସନ 'ଅମୃତ ଭାରତ ଷ୍ଟେସନ ଯୋଜନା' ଅଧୀନରେ ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ଆଧୁନିକ ରୂପ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଏହି ନବୀକୃତ ଷ୍ଟେସନର ଉଦଘାଟନ କରିଛନ୍ତି। ପଶ୍ଚିମ ଓଡ଼ିଶାର ଅନ୍ୟତମ ବ୍ୟସ୍ତବହୁଳ କେସିଙ୍ଗା ରେଳ ଷ୍ଟେସନରେ ଏବେ ଯାତ୍ରୀମାନଙ୍କ ପାଇଁ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହୋଇଛି। କେସିଙ୍ଗା ରେଳ ଷ୍ଟେସନର ରୂପାନ୍ତରଣ ପାଇଁ ପ୍ରାୟ ୨୨ କୋଟି ଟଙ୍କା ବ୍ୟୟ କରାଯାଇଛି। ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ସୁଗମ ଯାତାୟାତ ପାଇଁ ଏକ ନୂତନ ଦ୍ୱିତୀୟ ପ୍ରବେଶ ଦ୍ୱାର, ବିଶାଳ ସର୍କୁଲେସନ୍ ଏରିଆ ଏବଂ ଆଧୁନିକ ଯାତ୍ରୀ ସୁବିଧାର ବ୍ୟବସ୍ଥା କରାଯାଇଛି। ବୃଦ୍ଧ ଓ ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଷ୍ଟେସନରେ ୩ଟି ଅତ୍ୟାଧୁନିକ ଲିଫ୍ଟ ସ୍ଥାପନ କରାଯାଇଛି। ସେହିପରି ୧୨ ମିଟର ଓସାରର ଫୁଟ୍ ଓଭର ବ୍ରିଜ୍, ପ୍ଲାଟଫର୍ମର ନବୀକରଣ, ପ୍ରଶସ୍ତ ଆପ୍ରୋଚ୍ ରୋଡ୍ ଏବଂ ଏସି ବିଶ୍ରାମ କକ୍ଷ ଯାତ୍ରୀଙ୍କ ଯାତ୍ରାକୁ ଅଧିକ ସୁବିଧାଜନକ କରିଛି। ଓଡ଼ିଶାରେ ପୁନର୍ବିକାଶ ହେଉଥିବା ୫୭ ଟି ଅମୃତ ଭାରତ ଷ୍ଟେସନ ମଧ୍ୟରୁ କେସିଙ୍ଗା ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ଆଧୁନିକୀକରଣ ସ୍ଥାନୀୟ ଅର୍ଥନୀତି, ବ୍ୟବସାୟ ଏବଂ ଯାତାୟାତ ବ୍ୟବସ୍ଥାକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି। କେସିଙ୍ଗା ରେଳ ଷ୍ଟେସନର ଏହି ଆଧୁନିକୀକରଣ ଫଳରେ ଯାତ୍ରୀମାନେ ବିଶ୍ୱସ୍ତରୀୟ ସୁବିଧା ପାଇବା ସହ ସ୍ଥାନୀୟ ଅଞ୍ଚଳର ବିକାଶକୁ ମଧ୍ୟ ନୂଆ ଦିଗ ମିଳିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ, କଳାହାଣ୍ଡି।
