Hot Posts

6/recent/ticker-posts

ସାଗୁନଭାଡ଼ି ରଥଯାତ୍ରାର ନିଆରା ପରମ୍ପରା: ମାଉସୀ ଘରେ ୨୧ ଗ୍ରାମର ଭକ୍ତଙ୍କ ପାଇଁ ମହାପ୍ରସାଦ ସେବା

ସିନାପାଲି, ୨୪/୦୭ ( ପରମେଶ୍ୱର ମେହେର ) : ଭକ୍ତଙ୍କ ପ୍ରେମ, ସେବା ଓ ନିଷ୍ଠାରେ ପ୍ରସନ୍ନ ହୋଇ ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ଘରକୁ ବିଜେ କରନ୍ତି। ଏହି ଆଧ୍ୟାତ୍ମିକ ବିଶ୍ବାସ ଓ ପ୍ରାଚୀନ ପରମ୍ପରାକୁ ସାର୍ଥକ କରି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସାଗୁନଭାଡ଼ି ଗ୍ରାମର ପବିତ୍ର ରଥଯାତ୍ରା ମହୋତ୍ସବ ଅବସରରେ ମହାପ୍ରଭୁ ରଥାରୂଢ଼ ହୋଇ ଗହ୍ମାମାଳସ୍ଥିତ ମାଉସୀ ଘରକୁ ବିଜେ କରିଛନ୍ତି । ସେହି ଦିନଠାରୁ ମାଉସୀ ଘରରେ ଭକ୍ତଙ୍କ ଅବିରତ ସମାଗମ ଲାଗି ରହିଛି। ମାଉସୀ ଘରରେ ମହାପ୍ରଭୁଙ୍କ ଅବସ୍ଥାନ ସମୟରେ ଏକ ନିଆରା ପରମ୍ପରା ପାଳନ କରାଯାଉଛି। ସିନାପାଲି ଓ ବୋଡେନ ବ୍ଲକର ମୋଟ ୨୧ଟି ଗ୍ରାମର ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ନିମନ୍ତ୍ରଣ କରାଯାଇ ପ୍ରତିଦିନ ତିନୋଟି ଗ୍ରାମର ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ଭୋଗ, ଦର୍ଶନ ଓ ମହାପ୍ରସାଦ ସେବନର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହା ସହିତ ଅନ୍ୟାନ୍ୟ ଗ୍ରାମ ଓ ଅଞ୍ଚଳରୁ ଆସୁଥିବା ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିମହାପ୍ରସାଦ ଗ୍ରହଣ କରୁଛନ୍ତି । ପ୍ରତିଦିନ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ମାଉସୀ ଘର ପରିସର ଭଜନ, କୀର୍ତ୍ତନ, ନାମସଂକୀର୍ତନ ଓ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଛି। ମହିଳା, ପୁରୁଷ, ଯୁବକ, ଯୁବତୀ ଓ ଶିଶୁମାନଙ୍କ ଭିଡ଼ରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ସ୍ବେଚ୍ଛାସେବକମାନେ ଶୃଙ୍ଖଳାର ସହ ମହାପ୍ରସାଦ ବଣ୍ଟନ କରୁଥିବା ବେଳେ ଗ୍ରାମର ବରିଷ୍ଠ ବ୍ୟକ୍ତି, ଯୁବପିଢ଼ି ଓ ମହିଳାମାନେ ମଧ୍ୟ ସେବାକାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ଧାର୍ମିକ ଆସ୍ଥା ସହ ସାମାଜିକ ସମ୍ପ୍ରତି, ଭାଇଚାରା ଓ ସେବାର ମହାନ ବାର୍ଷା ଦେଉଥିବା ଏହି ନିଆରା ଆୟୋଜନ ସମଗ୍ର ଅଞ୍ଚଳରେ ପ୍ରଶଂସା ସାଉଁଟୁଛି। ଭକ୍ତମାନଙ୍କ କହିବା ଅନୁସାରେ, ମହାପ୍ରଭୁଙ୍କ ଏହି ଲୀଳା ଆମକୁ ଶିକ୍ଷା ଦିଏ ଯେ ନିଷ୍କାମ ସେବା, ଶୁଦ୍ଧ ଭକ୍ତି ଓ ସମର୍ପଣ ହିଁ ଭଗବାନଙ୍କ ନିକଟରେ ପହଞ୍ଚିବାର ସର୍ବୋତ୍ତମ ମାର୍ଗ ସାଗୁନଭାଡ଼ି ରଥଯାତ୍ରାର ଏହି ଅନନ୍ୟ ପରମ୍ପରା ଆଜି କେବଳ ଧାର୍ମିକ ଉତ୍ସବରେ ସୀମିତ ନ ରହି ସାମାଜିକ ଏକତା, ସଭାବ ଓ ଭାଇଚାରାର ଏକ ଉଚ୍ଛୁଳ ଦୃଷ୍ଟାନ୍ତ ପାଲଟିଛି।