Hot Posts

6/recent/ticker-posts

ସାପ କାମୁଡାରେ ଗର୍ଭବତୀଙ୍କ ମୃତ୍ୟୁ।

ଝରିଗାଁ, ୦୬/୦୭ (ନକୁଳ ଭତରା) : ରାତ୍ରୀରେ ଖାଇ ସାରି ଶୋଇଥିବା ଅବସ୍ଥାରେ ସାପ କାମୁଡିବା ଫଳରେ ଜଣେ ୬ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତା ମହିଳା ଜଣକ ହେଲେ ଝରିଗାଁ ଥାନା ଅଧୀନ ଫୁଫୁ ଗାଁ ପଞ୍ଚାୟତ ଅନ୍ତର୍ଗତ ପୂର୍ଣୀ ଗୁଡ଼ା ଗ୍ରାମର ବଇଦୀ ଭତରା ( ୨୧ ) ସ୍ୱାମୀ ସଘନ ଭତରା ସାପ କାମୁଡାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଗତକାଲି ରବିବାର ରାତ୍ରି ସ୍ୱାମୀ ସ୍ତ୍ରୀ ରାତ୍ରି ଭୋଜନ ସାରି ଶୋଇଥିଲେ। ରାତ୍ରି ପ୍ରାୟ ୧ ଘଣ୍ଟା ସମୟରେ ସ୍ୱାମୀ ସଘନ ଗୌଡଙ୍କ ହାତରେ ଥଣ୍ଡା ଅନୁଭବ ହେବାରୁ ନିଦରୁ ଉଠି ହାତ ଝାଡ଼ି ଥିଲେ।ଦେଖିଲା ବେଳକୁ ସାପଟି ତଳେ ପଡ଼ିଛି। ସାପ କୁ ଦେଖି ସ୍ତ୍ରୀ ବଇଦି କୁ ସାପ କାମୁଡ଼ିଛି ନା ନାହିଁ ପଚାରିଥିଲେ ସଘନ ହେଲେ ବଇଦି ସାପ କାମୁଡ଼ି ନଥିବା କହିଥିଲେ। ଭୋର ସକାଳ ପ୍ରାୟ ,୫ ଘଣ୍ଟା ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ନେଇ ବଇଦୀଙ୍କ ପିତା ଓ ସ୍ଵାମୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ପରେ ଏତଲାକୁ ଭିତ୍ତିକରି ଏ ଏସ ଆଇ ପ୍ରଭାତ କୁମାର ବରାଳଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ମାରି ଥିବା ଚିଟି ସାପ (କରାଟ) ସାପ ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଝରିଗାଁ ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲିଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସର୍ପ ଦଂଶନ ଚିହ୍ନ ସ୍ପଷ୍ଟ ଜଣା ପଡିନଥିବା ବେଳେ ପାଦରେ କାମୁଡିଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏ ଏସ ଆଇ ଶ୍ରୀ ବରାଳ ସୂଚନା ଦେଇଛନ୍ତି। ମୃତା ବଇଦିଙ୍କ ବାହ ହୋଇ ବର୍ଷେ ହୋଇନଥିବା ବେଳେ ପ୍ରଥମ ଗର୍ଭ ଧାରଣରେ ମୃତ୍ୟୁ ହୋଇଥିବାରୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଁ ଶ୍ମଶାନରେ ଆଜି ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।