Hot Posts

6/recent/ticker-posts

ଅଙ୍ଗନବାଡ଼ି ପାଚେରୀ ନିର୍ମାଣରେ ସାଇନ୍‌ବୋର୍ଡ ନାହିଁ, ତଦନ୍ତ ଦାବି କଲେ ଗ୍ରାମବାସୀ

ଝରିଗାଁ, ୦୨/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭାଲୁକୋଣାଡ଼ି ପଞ୍ଚାୟତ ଅନ୍ତର୍ଗତ କାଟରଗଡିଆ ପଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ ନିର୍ମାଣ କାମ ସାଇନ୍‌ବୋର୍ଡ ବିନା ଚାଲିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ କାମର ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ପ୍ରଶ୍ନ ଉଠିଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରକାରୀ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ କାର୍ଯ୍ୟସ୍ଥଳରେ ପ୍ରକଳ୍ପର ନାମ, ମଞ୍ଜୁରି ରାଶି, କାର୍ଯ୍ୟନିର୍ବାହୀ ସଂସ୍ଥା, କାର୍ଯ୍ୟ ଅବଧି ଓ ଅନ୍ୟାନ୍ୟ ବିବରଣୀ ସମ୍ବଳିତ ସାଇନ୍‌ବୋର୍ଡ ଲଗାଇବା ବାଧ୍ୟତାମୂଳକ। କିନ୍ତୁ ଉକ୍ତ କାମରେ କୌଣସି ସୂଚନା ଫଳକ ଲଗାଯାଇନଥିବାରୁ କାମଟି କେଉଁ ଯୋଜନାରେ, କେତେ ଟଙ୍କାରେ ଓ କାହା ତତ୍ତ୍ୱାବଧାନରେ ଚାଲିଛି, ସେନେଇ ସନ୍ଦେହ ପ୍ରକାଶ ପାଇଛି। ସାଇନ୍‌ବୋର୍ଡ ନଥିବାରୁ ସାଧାରଣ ଲୋକ କାମର ବିବରଣୀ ଜାଣିପାରୁ ନାହାନ୍ତି। ଏଥିସହ କାମର ଗୁଣବତ୍ତା ଓ ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠୁଥିବା ଗ୍ରାମବାସୀ କହିଛନ୍ତି। ତେଣୁ କାମର ମଞ୍ଜୁରି ରାଶି, ଗୁଣବତ୍ତା ଏବଂ ସମସ୍ତ ସୂଚନା ସାର୍ବଜନୀନ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ପିଇଓଙ୍କୁ ପଚାରିବାରୁ ସେ କହିଥିଲେ, "ଘଟଣା ଦେଖିବା ପରେ ମତାମତ ଦେବି।" ଅନ୍ୟପକ୍ଷରେ ସମ୍ପୃକ୍ତ ଜେଇଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।