ଧ୍ବଂସାଭିମୁଖୀ ଓଡିଶାର ଶିକ୍ଷା
ଅଧ୍ୟାପକ ବିଶ୍ୱରଞ୍ଜନ ଦାସ
ଜୟଦେବ ବିହାର
ଭୁବନେଶ୍ବର
ମୋବାଇଲ୍ - ୮୯୧୭୬୮୨୮୧୩
ଦୀର୍ଘ ୨୪ବର୍ଷ ଧରି ଓଡ଼ିଆ ବୁଝୁ ନଥିବା ଅବା ଓଡ଼ିଆ କହୁ ନଥିବା ଏବଂ ସର୍ବସମ୍ମୁଖରେ ଓଡ଼ିଆଙ୍କ ଉପହାରକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଶାସନ କବଳରୁ ମୁକ୍ତି ପାଇଁ ଓଡ଼ିଶାବାସୀ ୨୦୨୪ ମସିହାରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଜ୍ୟରେ ନୂଆ ସରକାର ଗଠନ କଲେ। ଏହି ଐତିହାସିକ ପରିବର୍ତ୍ତନରେ ସମାଜର ସମସ୍ତ ବର୍ଗର ଲୋକଙ୍କ ଭାଗିଦାରୀ ଥିଲେ ମଧ୍ଯ ଶିକ୍ଷକ ସମାଜର ଯୋଗଦାନ ପ୍ରଣିଧାନ ଯୋଗ୍ୟ। କାରଣ ଯେକୌଣସି ସାମଜିକ ପରିବର୍ତ୍ତନର ସୂତ୍ରଧର ସର୍ବଦା ଶିକ୍ଷା ଓ ଶିକ୍ଷକ।
ପୂର୍ବ ସରକାର ଦ୍ଵାରା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ନୂଆ - ଓ କାର୍ଯ୍ଯକ୍ରମ, ସମସ୍ତ ଛାତ୍ର ଛାତ୍ରୀଙ୍କୁ ବୃତ୍ତି ଆଳରେ ଭୋଟ ପାଇଁ ୧୦୦୦୦ ଲେଖାଏଁ ଆର୍ଥିକ ଉତ୍କୋଚ, ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି, ଅନୁଦାନ ଆଳରେ ବ୍ଲକ ଗ୍ରଣ୍ଟ ପ୍ରଚଳନ, ପ୍ରଶାସନିକ ବ୍ୟବସ୍ଥା ଦ୍ବାରା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତାକୁ କ୍ଷୁର୍ଣ୍ଣ କରିବା, ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଅନିୟମିତତା, ଦୀର୍ଘ ବର୍ଷ ଧରି ନୂତନ ଅନୁଦାନ ନୀତି ପ୍ରଣୟନ ନକରି ବିନା ବେତନରେ ଶିକ୍ଷକ ଓ ଅଧ୍ୟାପକ ମାନଙ୍କୁ ଶିକ୍ଷା ପ୍ରଦାନ ପାଇଁ ବାଧ୍ୟ କରାଇବା ଇତ୍ଯାଦି ଅବ୍ୟବସ୍ଥାରୁ ମୁକ୍ତି ପାଇଁ ଵିଶେଷତଃ ଶିକ୍ଷକ ସମାଜ ନୂତନ ସରକାରକୁ ଚୟନ କରିଥିଲେ।
ନିର୍ବାଚନ ଇସ୍ତାହାରରେ ନୂତନ ସରକାର "ସମାନ କାମକୁ ସମାନ ଦରମା" ପ୍ରତିଶୃତି ପ୍ରଦାନ କରିଥିଲେ। ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷକ କୁଳ ବିଭିନ୍ନ ସମସ୍ୟା ନେଇ ସରାକରଙ୍କ ନିକଟରେ ଅନବରତ ଗୁହାରୀ କରିଆସିଛନ୍ତି। ବିଭିନ୍ନ କମିଟି ଗଠନ କରି ସମୟ ଗଡ଼ାଇ ସରକାର ଶିକ୍ଷକଙ୍କୁ ଭଣ୍ଡାଇବା ଛଡା ଆଉ କିଛି ସଫଳତା ମିଳୁ ନାହିଁ। ରାଜ୍ୟର ଶିକ୍ଷକକୁଳ କାନ୍ତରରୁ ଯାଇ ମହାଅରଣ୍ୟରେ ପଡି ଆକୁଳ ଚିତ୍କାର କରୁଥିବା ବେଳେ ରାଜ୍ୟର ଶୈକ୍ଷିକ ମେରୁଦଣ୍ଡ ଉପରେ ସଂପ୍ରତି ସରାକରଙ୍କ ଶକ୍ତ ଆଘାତ ଓଡ଼ଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ବଂସାଭିମୁଖୀ କରିଛି। ଏହାର ଅନେକ ଗୁଡ଼ିଏ କାରଣ ଥିଲେ ମଧ୍ଯ ସର୍ବୋପରି ଦୁଇଟି ମୁଖ୍ୟ କାରଣ -
୧- ଶିକ୍ଷକ ସମାଜକୁ ଅବମାନନା କରି ପ୍ରାଶାସନିକ ଅଧିକାରୀଙ୍କ ଦ୍ବାରା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ପରିଚାଳନା - ଯଥା ପୂର୍ବମ ତଥା ପରମ୍ ।
୨- ତରବରିଆ ଭାବରେ ରାଜ୍ୟରେ ଜାତୀୟ ଶିକ୍ଷାନୀତି -୨୦୨୦ ଲାଗୁ କରିବା - ସରାକରଙ୍କ ବୃଥା ଆସ୍ଫାଳନ।
ଆଜିକୁ ପ୍ରାୟ ୨୦ ଦିନ ଧରି ସାରା ରାଜ୍ୟରେ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ୫୫ଟି ପାଠ୍ୟ ପୁସ୍ତକରେ ୧୬୦୦ରୁ ଊର୍ଦ୍ଧ୍ୱ ତ୍ରୁଟି ସମ୍ବଦ୍ଧରେ ଆଲୋଚନା ଜାରି ରହିଛି । ଏହାର ସମାଧାନ ଦିଗରେ ସରାକରଙ୍କ କାର୍ଯ୍ୟପ୍ରଣାଳୀ ଓଡ଼ିଆ ଜାତିକୁ ବ୍ୟଥିତ କରିଛି। ପ୍ରାଶାସନିକ ଅଧିକାରୀଙ୍କ ଚକ୍ରବ୍ୟୁହରେ ଧରାଶାୟୀ ହୋଇଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।
୧୮୨୩ ମସିହାରେ ଭାରତରେ ଶିକ୍ଷା ପାଇଁ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ପ୍ରଥମ ଶିକ୍ଷା କମିଟି ଗଠନ କାଳରୁ ଅଦ୍ୟାବଧି ୨୦୦ବର୍ଷ ମଧ୍ୟରେ ପାଠ୍ୟପୁସ୍ତକ ପ୍ରକାଶନରେ ଏଭଳି ଗୁରୁତର ତ୍ରୁଟି- ବାସ୍ତବିକ ଓଡ଼ିଶା ଶିକ୍ଷା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ।
ପ୍ରଥମ ବୟାନ - ଗଣଶିକ୍ଷା ମନ୍ତ୍ରୀ - ତୃଟି ସମ୍ବଦ୍ଧରେ ବିଭାଗ ଅବଗତ ଅଛି ଏବଂ ସଂଶୋଧନ ପୁସ୍ତିକା ବିଦ୍ୟାଳୟଗୁଡ଼ିକୁ ଯୋଗାଇ ଦିଆ ଯାଇଛି।
ଦ୍ୱିତୀୟ - ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁଶୀଳନ ବୈଠକ ଏବଂ ଅଣ ଓଡ଼ିଆ ପ୍ରାଶାସନିକ ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ।
ତୃତୀୟ - ଏସ. ସି. ଆର. ଟି. ନିର୍ଦ୍ଦେଶିକାଙ୍କ ବୟାନ - ଚଳିତ ବର୍ଷ ସଂଶୋଧନ ପୁସ୍ତିକା ମାଧ୍ୟମରେ ତ୍ରୁଟିଯୁକ୍ତ ପୁସ୍ତକ ପ୍ରଚଳନ।
ଚତୁର୍ଥ - ମୁଖ୍ଯମନ୍ତ୍ରୀଙ୍କ ବୟାନ - ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକ ପ୍ରତ୍ୟାହାର ପୂର୍ବକ ନୂତନ ତ୍ରୁଟି ଶୁନ୍ୟ ପାଠ୍ୟପୁସ୍ତକ ପ୍ରଣୟନ
ପଞ୍ଚମ - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ବୟାନ - ନୂତନ ତ୍ରୁଟି ଶୁନ୍ୟ ପାଠ୍ୟପୁସ୍ତକ ପ୍ରସ୍ତୁତି ପର୍ଯ୍ୟନ୍ତ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକରେ ଅଧ୍ୟୟନ ପାଇଁ ନିର୍ଦ୍ଦେଶ।
ସମ୍ପୂର୍ଣ୍ଣ ବୟାନବାଜି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅବମାନନା ଏବଂ ମୁଖ୍ଯମନ୍ତ୍ରୀ ପ୍ରାଶାସନିକ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଜଳ ଜଳ ଦିଶୁଛି। ତେବେ ରାଜ୍ୟରେ ଜାତୀୟ ଶିକ୍ଷାନୀତି -୨୦୨୦ ଅତର୍କିତ ଲଗୁକରିବା - ଅନୁକରଣ ବଦଳରେ ହନୁକରଣ ଏବଂ ମାଙ୍କଡ଼ ହାତରେ ଶାଳଗ୍ରାମ ସଦୃଶ।
ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଜଳୁଥିବା ପାଠ୍ୟପୁସ୍ତକ ତ୍ରୁଟି ଜନିତ ନିଆଁକୁ ପ୍ରଶମିତ କରିବା ପାଇଁ ସରକାର ତା ୦୧/୦୭/୨୦୨୬ରିଖରେ କେଜି ଠାରୁ ପିଜି ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷାଦାନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରି ଆଶ୍ୱସ୍ତି ଅନୁଭବ କରିଛନ୍ତି। ପାଠ୍ୟପୁସ୍ତକରେ ତ୍ରୁଟି ଠାରୁ ଏହା ଅଧିକ ଗୁରୁତର ସମସ୍ୟା ସୃଷ୍ଚି କରିବ - ଏହା ରାଜ୍ୟର ପ୍ରାଶାସନିକ ବ୍ୟବସ୍ଥା କିମ୍ବା ମୁଖ୍ଯମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଅନୁଶୀଳନ କରିବାରେ ତ୍ରୁଟି କରିଛନ୍ତି।
ଜ୍ଞାନୋଦୟ - ଶିକ୍ଷାରୁ ସମୃଦ୍ଧି ଯୋଜନା ଅଧୀନରେ ରାଜ୍ୟ ସରକାର ରାଜ୍ୟର ସରକାରୀ ଏବଂ ବେସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଅଧିକ ସୁଲଭ ଓ ସରଳ କରିବା ଉଦ୍ଦେଶ୍ୟରେ ଏହି ମହତ୍ତ୍ଵାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଛନ୍ତି।ଉକ୍ତ ନିଷ୍ପତିକୁ ଅନୁଶୀଳନ କଲେ ଆମ୍ଭେ ଦେଖିବାକୁ ପାଇବା ପ୍ରାୟତଃ ୧ମ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସ୍ତରରେ ନିଶୁଳ୍କ ନାମ ଲେଖା ପ୍ରଚଳିତ ଥିଲା। ଏବେ ଠାରୁ ଏହି ପ୍ରକ୍ରିୟାଟି ମହାବିଦ୍ୟାଳୟ ସ୍ତରରେ ଅନୁସୃତ ହେବ।
ଏହି ଐତିହାସିକ ଏବଂ ମହତ୍ୱାକାଂକ୍ଷୀ ଯୋଜନା ମହାବିଦ୍ୟାଳୟ ସ୍ତରରେ ପ୍ରଣୟନ ପୁର୍ବରୁ ସରକାର ଜାଣିବାର ଥିଲା - ନାମଲେଖା ଅର୍ଥରାଶି ମହାବିଦ୍ୟାଳୟର କେଉଁ କାର୍ଯ୍ୟରେ ବିନିଯୋଗ ହୁଏ ? ଏହି ଖର୍ଚ୍ଚ ଭରଣା କରିବାରେ ସରକାର କେତେଦୂର ସମର୍ଥ ହେବେ !
ତେବେ ନାମଲେଖା ଶୁଳ୍କରେ ମହାବିଦ୍ୟାଳୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପରିମାଣର ଜମି ମହାବିଦ୍ୟାଳୟ ପାଇଁ କ୍ରୟ କରେ, ଶ୍ରେଣୀ କକ୍ଷ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ, ପରୀକ୍ଷଣ ଉପକରଣ ଓ ପରୀକ୍ଷଣ ନିମିତ୍ତ ନମୁନା କ୍ରୟ, ବିଭିନ୍ନ ପରୀକ୍ଷାରେ ବ୍ୟବହୃତ କାଗଜ, ସୂତା,ଷ୍ଟାମ୍ପ ଇତ୍ଯାଦି କ୍ରୟ, ଆବଶ୍ୟକୀୟ ଡେସ୍କ, ବେଞ୍ଚ, ଟେବୁଲ୍, ଚେୟାର ଇତ୍ଯାଦି କ୍ରୟ, ପାଇଖାନା ପାଇଁ ବ୍ୟବହୃତ ସାମଗ୍ରୀ କ୍ରୟ, କାର୍ଯ୍ୟାଳୟରେ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ କ୍ରୟ, ଅଫିସ୍ ଷ୍ଟେସନାରୀ କ୍ରୟ, ମହାବିଦ୍ୟାଳୟକୁ ଆସୁଥିବା ଅତିଥି ଅଭ୍ୟର୍ଥନା, ମହାବିଦ୍ୟାଳୟର ବିଦ୍ୟୁତ୍ ଓ ଇଣ୍ଟରନେଟ ବିଲ୍, ମହାବିଦ୍ୟାଳୟର ଅଣଅନୁଦାନ ଅଧ୍ୟାପକ ଓ କର୍ମଚାରୀ, ଚୁକ୍ତିଭିତ୍ତିକ, ଅତିଥି ଅଧ୍ୟାପକ ଓ କର୍ମଚାରୀ ଗଣଙ୍କ ମାସିକ ବେତନ ଇତ୍ଯାଦି।
ତେବେ କେଜି ଠାରୁ ପିଜି ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷାଦାନ ୨୦୨୬-୨୭ ଶିକ୍ଷା ବର୍ଷରୁ ଲାଗୁ କରିବା ପୂର୍ବରୁ ମହାବିଦ୍ୟାଳୟର ଏହି ଖର୍ଚ୍ଚ ଗୁଡିକୁ ବହନ କରିବା ପାଇଁ ରାଜ୍ୟ ସରକାର ଅର୍ଥରାଶି ମହାବିଦ୍ୟାଳୟକୁ ପ୍ରଦାନ କରିବାର ଗୁରୁ ଦାୟିତ୍ବ ଥିଲା।
ରାଜ୍ୟରେ କେଜି ଠାରୁ ପିଜି ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷାଦାନ ପାଇଁ ଆନୁମାନିକ କେନ୍ଦ୍ର ସରକାର ସଂପୂର୍ଣ୍ଣ ବଜେଟ୍ ର ୧୦ ପ୍ରତିଶତ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ବଜେଟ୍ ର ୩୦ ପ୍ରତିଶତ ବ୍ୟୟ ବରାଦ କଲେ ଏହା ସଫଳତାର ସହ କାର୍ଯ୍ୟକାରୀ ହେବ। ଦୁଃଖ ଏବଂ ପରିତାପର ବିଷୟ କେନ୍ଦ୍ର ସରକାର ୨୦୨୬-୨୭ ଅର୍ଥିକ ବର୍ଷରେ ଶିକ୍ଷା ପାଇଁ ୨.୬ ପ୍ରତିଶତ ଏବଂ ରାଜ୍ୟ ସରକାର ୧୩.୭ ପ୍ରତିଶତ ବ୍ୟୟ ବରାଦ କହିଛନ୍ତି। ଏପରି ସ୍ଥିତିରେ ବିଦ୍ୟାଳୟ,ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସ୍ତରରେ ନିଶୁଳ୍କ ଶିକ୍ଷାଦାନ ଯୋଜନା ରାଜ୍ୟସରକାରଙ୍କ ଏକ ଅପରିଣାମଦର୍ଶୀ ପଦକ୍ଷେପ ଅଟେ।
ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ ପାଇଁ ବାର୍ଷିକ ୧୫୦କୋଟି ଅର୍ଥରାଶି ଆବଶ୍ୟକ ଥିବାବେଳେ ଏପର୍ଯ୍ୟନ୍ତ ସରକାର ନୂତନ ଅନୁଦାନ ନୀତି ପ୍ରଣୟନରେ ବିଫଳ। ହଜାର ହଜାର ସଂଖ୍ୟାରେ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପଦବୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିଲେ ମଧ୍ୟ ଅର୍ଥାଭାବରୁ ୬୬୨ ବର୍ଗ ମହାବିଦ୍ୟାଳୟରେ ନିଯୁକ୍ତି ହୋଇନାହିଁ, ୪୮୮ ବର୍ଗ ମହାବିଦ୍ୟାଳୟରେ ଏସ.ଏସ. ବି. ଦ୍ଵାରା ୨୦୧୬ରୁ ଆରମ୍ଭ ହୋଇଥିବା ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ ୨୦୨୪ରୁ ଏହା କୋଲ୍ଡଷ୍ଟୋରରେ ପଡ଼ିଛି। ତେଣୁ ଜ୍ଞାନୋଦୟ - ଶିକ୍ଷାରୁ ସମୃଦ୍ଧି ଅଧୀନରେ ନିଶୁଳ୍କ ଶିକ୍ଷାଦାନ ପାଇଁ ରାଜ୍ଯ କ୍ୟାବିନେଟ ବୈଠକରେ ୮୯୫.୫୭ କୋଟି ବ୍ୟୟ ବରାଦ ସମ୍ପୂର୍ଣ୍ଣ ଭାବରେ ହାସ୍ୟାସ୍ପଦ।
ନିଶୁଳ୍କ ଶିକ୍ଷାଦାନ ସେବା ପ୍ରଦାନ କରି ଛାତ୍ର ଅଭାବରୁ ବିଗତ ୫ବର୍ଷ ଭିତରେ ଆମ ରାଜ୍ୟର ୫୬୩୨ଟି ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଆନୁଷଙ୍ଗିକ ବ୍ୟବସ୍ଥା ନକରି ମହାବିଦ୍ୟାଳୟ ଗୁଡିକରେ ନିଶୁଳ୍କ ଶିକ୍ଷାଦାନ ଆଗାମୀ ଦିନରେ କେତୋଟି ମହାବିଦ୍ୟାଳୟରେ ତାଲା ଝୁଲାଉଛି ଦେଖିବାକୁ ବାକି ରହିଲା !
ଅସ୍ମିତାକୁ ହୃଦଙ୍ଗମ କରନ୍ତୁ ଲୋକଙ୍କ ସରକାର ।