*ଘରେ ନପଶି ମୁଣ୍ଡ ବାଜିଲା*
*ଘରେ ନପଶି ମୁଣ୍ଡ ବାଜିଲା*
ଛାତ୍ରଛାତ୍ରୀ ମାନଙ୍କର ସାମଜିକ ଓ ଅର୍ଥନୈତିକ ପୃଷ୍ଠଭୂମିକୁ ବାଦ୍ ଦେଇ ନିର୍ବିଶେଷରେ ଏକ ସମାବେଶି, ସହଜଲବ୍ଧ, ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ହେଉଛି ଜାତୀୟ ଶିକ୍ଷା ନୀତି -୨୦୨୦ର ଆଭିମୁଖ୍ୟ। ଏହା ଫଳରେ ଭାରତ, ସାରା ବିଶ୍ୱରେ ଜ୍ଞାନର ସର୍ବ ଶକ୍ତିମାନ ରାଷ୍ଟ୍ର ଭାବରେ ଉଭା ହେବ। କରୋନା ମହାମାରୀର ଘନଘଟା ମଧ୍ୟରେ ଗଣତନ୍ତ୍ରର ମନ୍ଦିର ସଂସଦର ଉଭୟ ଗୃହରେ ଜାତୀୟ ଶିକ୍ଷାନୀତି -୨୦୨୦ ଗୃହୀତ ହେବା ପରେ ପ୍ରାୟତଃ ଭାଜପା ଶାସିତ ରାଜ୍ୟ ଗୁଡିକ ଏହାକୁ ଲାଗୁ କରିଥିଲେ। ୨୦୨୪ ବିଧାନ ସଭା ନିର୍ବାଚନରେ ଭାଜପା ନିର୍ବାଚନ ଇସ୍ତାହାରରେ ସରକାର ଗଠନ ହେବାର ୩ମାସ ବା ୧୦୦ଦିନ ମଧ୍ୟରେ ରାଜ୍ୟରେ ପ୍ରଗତିଶୀଳ ଶିକ୍ଷା ପ୍ରଦାନ ପାଇଁ ଜାତୀୟ ଶିକ୍ଷାନୀତି ଆଧାରରେ ରଜ୍ୟର ଏକ ସ୍ୱତନ୍ତ୍ର ଶିକ୍ଷାନୀତି ପ୍ରସ୍ତୁତି ଏବଂ ପ୍ରଣୟନର ପ୍ରତିଶୃତି ପ୍ରଦାନ କରିଥିଲେ। ଓଡ଼ିଆ ଅସ୍ମିତାକୁ ଗଣ୍ଠି କରି ରାଜ୍ୟରେ ଭାଜପା ସରକାର ଗଠନ ହେଲା। ନବନିର୍ବାଚିତ ସରକାର ନିର୍ବାଚନ ଇସ୍ତାହାରରେ କୁହାଯାଇଥିବା ପ୍ରତିଶ୍ରୁତିକୁ ଭୁଲି ରାଜ୍ୟପାଇଁ ନୂତନ ଶିକ୍ଷାନୀତି ପ୍ରସ୍ତୁତ ପରିବର୍ତ୍ତେ ଓଡ଼ିଆ ପୁଅ ଦେଶର କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ବୋଧହୁଏ ତାଙ୍କର ପରାମର୍ଶରେ କିମ୍ବା ସରକାର ନିଜ ପରିବାପଣିଆକୁ ଉପସ୍ଥାପନ କରିବା ପାଇଁ ସିଧାସଳଖ ଭାବେ ବିନା ବିଚାର ବିମର୍ଶରେ ଜାତୀୟ ଶିକ୍ଷାନୀତି -୨୦୨୦କୁ ପ୍ରଥମେ ୨୦୨୪-୨୫ ଶିକ୍ଷା ବର୍ଷରେ ଉଚ୍ଚ ଶିକ୍ଷା ଏବଂ ୨୦୨୫-୨୬ ଶିକ୍ଷା ବର୍ଷରେ ଗଣଶିକ୍ଷାରେ ଲାଗୁକଲେ । ଜାତୀୟ ଶିକ୍ଷାନୀତି- ୨୦୨୦ କୁ ଓଡିଶାରେ ଲାଗୁ କରିବା- ରାଜ୍ୟସରକାରଙ୍କ ଅନୁକରଣ ବଦଳରେ ହନୁକରଣ ପରି ମନେ ହେଉଛି। ତେବେ ଜାତୀୟ ଶିକ୍ଷାନୀତି ଅଧାରରେ ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ପାଠ୍ୟପୁସ୍ତକ ସରାକରଙ୍କ ଦ୍ଵାରା ମୁଦ୍ରିତ ହୋଇ ବଣ୍ଟନ କାର୍ଯ୍ୟ ଜାରି ରହିଛି। ଇତି ମଧ୍ୟରେ 'ଦେଖା ସୁନ୍ଦର ବଉଳା ଗାଈ' ସଦୃଶ ବହି ଉପରେ ସୁନ୍ଦର ମଲାଟ ରଖି ଭିତରେ ଗରିବ ଓଡ଼ିଆ ପିଲାର ଲକ୍ଷ- 'କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି'ର ସୁନେଲି ଭବିଷ୍ୟତକୁ ଜୋର ଜବରଦସ୍ତ ଦଳି ମକଚି ନଷ୍ଟ କରିବାର ବୃଥା ପ୍ରୟାସ କରାଯାଇଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ସଦୃଶ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକରେ ବର୍ତ୍ତମାନ ସୁଦ୍ଧା ୧୬୭୮ଟି ଗୁରୁତର ତ୍ରୁଟି ଚିହ୍ନଟ କରାଯାଇଛି। ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ତ୍ରୁଟି ଚିହ୍ନଟ କରାଯାଇଛି। ତ୍ରୁଟି ଗୁଡ଼ିକ ଵିଶେଷତଃ ଭୌଗଳିକ, ଐତିହାସିକ ତଥ୍ୟ, ବନାନ ଭିତ୍ତିକ ତ୍ରୁଟି ଅଟେ । ୧୬/୦୬/୨୦୨୬ ଅପରାହ୍ନରେ ହଠାତ୍ ଏକ ଘରୋଇ ଦୂରଦର୍ଶନ ଚ୍ୟାନେଲରେ ଗଣଶିକ୍ଷାମନ୍ତ୍ରୀଙ୍କ ବୟାନ ଶୁଣିଲି । ତ୍ରୁଟି ଯୁକ୍ତ ପାଠ୍ୟପୁସ୍ତକ ବାବଦରେ ସାମ୍ବାଦିକଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଲେ - ବିଭାଗ ଏ ବିଷୟରେ ଅବଗତ ଅଛି। ତ୍ରୁଟିକୁ ସଂଶୋଧନ କରି ପିଲାଙ୍କୁ ପାଠ ପଢାଇବା ପାଇଁ ଆମ୍ଭେ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛୁ। ଓଃ କି ଦାୟିତ୍ୱହୀନ ମନ୍ତବ୍ୟ ! ମାଙ୍କଡ ହାତରେ ଶାଳଗ୍ରାମ। ଗୋପବନ୍ଧୁ, ଗୋଦାବରୀଶ, ନୀଳକଣ୍ଠ ଇତ୍ୟାଦି ମହାମନିଷୀଙ୍କ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ଏତାଦୃଶ ବୟାନ ବାସ୍ତବିକ୍ ନୂତନ ସରକାରର ଅନଭିଜ୍ଞତା ଏବଂ ଅସମ୍ବେଦନଶୀଳତାକୁ ପ୍ରମାଣିତ କରୁଛି।
ଜାତୀୟ ଶିକ୍ଷାନୀତି - ୨୦୨୦କୁ ଓଡ଼ିଶାରେ ବିନା ବିଚାରବିମର୍ଷରେ ଲାଗୁ କରିବା , ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ ନ୍ୟାୟରେ ପ୍ରଥମ ପାଦରେ ନୂତନ ପାଠ୍ୟପୁସ୍ତକ ପ୍ରଣୟନ - ସରକାରଙ୍କ ବେପରୁଆ ମନୋଭାବକୁ ପଦାରେ ପକାଇଛି। ଜାତୀୟ ଶିକ୍ଷାନୀତି ଆଧାରରେ (୫+୩+୩+୪) ବର୍ଷ ଢାଞ୍ଚାରେ ଶିକ୍ଷା ବ୍ୟବସ୍ଥାକୁ ଭାଗ କରିବାରେ ଅନୁକୂଳ ଅବସର ଓଡ଼ିଶା ପରିବେଶରେ ବର୍ତ୍ତମାନ ସୁଦ୍ଧା ନାହିଁ କିମ୍ବା ନିର୍ବାଚିତ ଭାଜପା ସରକାର ଓ ମନ୍ତ୍ରିମଣ୍ଡଳର ବାଚାଳାମି ଏହାକୁ ୨୦୩୬ ସୁଦ୍ଧା କାର୍ଯ୍ୟରେ ପରିଣତ କରିବାରେ କୌଣସି ଲକ୍ଷଣ ମଧ୍ୟ ଦୃଶ୍ୟମାନ ହେଉ ନାହିଁ।
ଅପରପକ୍ଷରେ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ନିୟମିତ ଶିକ୍ଷା ସହିତ ପ୍ରଯୁକ୍ତି ବିଦ୍ୟାର ସଂଯୋଗ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ବା ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ପାଇଁ ଭିତ୍ତିଭୂମି ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଉପାନ୍ତ କୋଟିଆ ଅଞ୍ଚଳରେ ଉପଲବ୍ଧ ନାହିଁ କିମ୍ବା ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରୋଜେକ୍ଟ ମାଧ୍ୟମରେ ଏହାର ସଫଳତା ଆଶା କରିବା ଗରିବ ଓଡ଼ିଆ ପାଇଁ ମରୀଚିକା ସଦୃଶ। ଅତଏବ ଜାତୀୟ ଶିକ୍ଷାନୀତି-୨୦୨୦ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଘରୋଇକରଣ ନିମିତ୍ତ ସମସ୍ତ ଅବସର ସୃଷ୍ଟି କରିବାରେ ସଫଳ ହୋଇଛି।
ଆଲୋଚ୍ୟ ବିଷୟ - ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନ ଏବଂ ବଣ୍ଟନ ପାଇଁ ଦାୟୀ କିଏ ?
୧- ପାଠ୍ୟପୁସ୍ତକ ସମ୍ପାଦନା ମଣ୍ଡଳୀ
୨- ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଅଧିକାରୀ
୩- ନିର୍ଦ୍ଦେଶକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
୪- ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
୫- ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
୬- ରାଜ୍ୟର ମୁଖ୍ଯମନ୍ତ୍ରୀ
୭- ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା
ଆପଣ ବିଚାର କରିବେ। ତେବେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଭସ୍ମୀଭୂତ କରିବାର ହୀନ ପ୍ରୟାସ ହୋଇଥିବା ବେଳେ ମାନନୀୟ ମୁଖ୍ଯମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍। ନଚେତ୍ ମାନନୀୟ ମୁଖ୍ୟମନ୍ତ୍ରୀ ସିଧାସଳଖ ଘଟଣାରେ ହସ୍ତକ୍ଷେପକରି ସମ୍ପାଦନା ମଣ୍ଡଳୀ ଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କର୍ଯ୍ୟନିବୃତ କରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ତଦନ୍ତ କରନ୍ତୁ ଏବଂ ଦୋଷୀଙ୍କୁ ତ୍ୱରିତ ଦଣ୍ଡ ବିଧାନ କରନ୍ତୁ। ଓଡ଼ିଆ ଅସ୍ମିତାକୁ ପଦଦଳିତ କରି ମାନନୀୟ ମୁଖ୍ଯମନ୍ତ୍ରୀ ପ୍ରାଶାସନିକ ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ ଏହା କେବଳ ଧର୍ମକୁ ଆଖିଠାର ବ୍ୟତୀତ ଆଉ କିଛି ନୁହେଁ ବରଂ ନିଜକୁ ଖାଣ୍ଟି ଓଡ଼ିଆ କହୁଥିବା ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କର ପ୍ରାଶାସନିକ ଦୁର୍ବଳତା ଏବଂ ଅପାରଗତା ବୋଲି ଓଡ଼ିଶାବାସୀ ଅନୁଭବ କରିବେ ।
ତେବେ ଉପୁଜିଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ତୁରନ୍ତ ରାଜ୍ୟର ବୁଦ୍ଧିଜୀବୀ, ଅଭିଭାବକ ସଂଘ ଶିକ୍ଷକ ସଙ୍ଘ, ଛାତ୍ର ସଂଗଠନ ଆଦିଙ୍କ ସହ ଆଲୋଚନା ପୁର୍ବକ ସମସ୍ୟା ସମାଧାନର ପନ୍ଥା ଅବଲମ୍ବନ କରନ୍ତୁ। ନଚେତ୍ ଜାତୀୟ ଶିକ୍ଷାନୀତି -୨୦୨୦ ଓଡ଼ିଶାର ଗୌରବମୟ ଇତିହାସକୁ ଜାଳିପୋଡ଼ି ଅଙ୍ଗାର କରିଦେବ । କାରଣ ଆଜିର ମୁଦ୍ରଣ ଜନିତ ତ୍ରୁଟି ଆଗାମୀ ଦିନରେ ବହୁବିଧ ସମସ୍ୟାର କାରଣ ହୋଇପାରେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ପରିଶେଷରେ
"ବେଳଥାଉଁ ବନ୍ଧ ବାନ୍ଧରେ କୁମର ପୁରି ରହୁ ସରୋବର " ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ