ଟାଙ୍ଗରିପଡା ବିଜୁ ଏକ୍ସପ୍ରେସୱେରେ ବଡ଼ ବଡ଼ ଖାଲ, ଦୁର୍ଘଟଣା ଆଶଙ୍କା ବଢ଼ିଲା ତୁରନ୍ତ ମରାମତି ପାଇଁ ଦାବି
ବୋଡେ଼ନ, ୦୪/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲାକୋଟ ପଞ୍ଚାୟତର ଟାଙ୍ଗରିପଡା ନିକଟସ୍ଥ ବିଜୁ ଏକ୍ସପ୍ରେସୱେର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଛୋଟ-ବଡ଼ ଯାନବାହନ ଚଳାଚଳ କରୁଥିବା ବେଳେ ଚାଳକ ଓ ଯାତ୍ରୀମାନେ ଜୀବନକୁ ବାଜି ଲଗାଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ବର୍ଷା ଦିନରେ ଖାଲଗୁଡ଼ିକରେ ପାଣି ଜମି ରହୁଥିବାରୁ ସେଗୁଡ଼ିକର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଯେକୌଣସି ସମୟରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ସବୁଠାରୁ ଅଧିକ ବିପଦର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି ପାଇଁ ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ବିଜୁ ଏକ୍ସପ୍ରେସୱେ ଭଳି ଗୁରୁତ୍ୱପୂର୍ଣ୍ଣ ସଡ଼କର ଏପରି ଦୟନୀୟ ଅବସ୍ଥା ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୁର୍ଘଟଣାର ବିପଦକୁ ଦିନକୁ ଦିନ ବଢ଼ାଉଛି। ତେଣୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏହି ରାସ୍ତାର ସ୍ଥିତି ପରଖି ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।