Hot Posts

6/recent/ticker-posts

ଜବ୍ ଫେୟାର କୁ ଉଦ୍‌ଘାଟନ କଲେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ

କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : ଯୁବପିଢ଼ିଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କୁ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ କଟକ ମହାନଗର ନିଗମ ଲାଇଟ୍ ହାଉସ୍‌ର ମିଳିତ ଅନୁକୂଲ୍ୟରେ ଏକ ଜବ୍ ଫେୟାର୍ ଆୟୋଜିତ ହୋଇଛି। ଆଜି ସକାଳ ୧୧ଟା ୩୦ ମିନିଟ୍ ସମୟରେ ଚାଉଳିଆଗଞ୍ଜସ୍ଥିତ କମ୍ୟୁନିଟି ହଲ୍ ପରିସରରେ ଆୟୋଜିତ ଏହି ନିଯୁକ୍ତି ମେଳାକୁ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଜବ୍ ଫେୟାର୍‌ରେ ବିଭିନ୍ନ କ୍ଷେତ୍ରରେ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଥିଲା। ବ୍ୟାଙ୍କିଙ୍ଗ୍, ଫୁଡ୍ ଆଣ୍ଡ ବେଭରେଜ୍, ଟେଲିକମ୍ୟୁନିକେସନ୍, ରିଟେଲ୍, ଅଟୋମୋବାଇଲ୍ ଏବଂ ଡାଟା ଏଣ୍ଟ୍ରି ଭଳି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଁ ଅନେକ କମ୍ପାନୀ ଏହି ଜବ୍ ଫେୟାର୍‌ରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପଦବୀ ପାଇଁ ପ୍ରାୟ ୩୨୦ ଜଣ ପ୍ରାର୍ଥୀ ଆବେଦନ କରି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଜବ୍ ଫେୟାର୍ ପରିଦର୍ଶନ ସମୟରେ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଉପସ୍ଥିତ ପ୍ରାର୍ଥୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ। ଚାକିରି ପାଇଁ ସାକ୍ଷାତକାର ଦେବା ସମୟରେ କୌଣସି ପ୍ରକାର ଚାପ କିମ୍ବା ଭୟ ନ ରଖି ଆତ୍ମବିଶ୍ୱାସର ସହିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ସେ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଜର ଦକ୍ଷତା, ଯୋଗ୍ୟତା ଓ ଆତ୍ମବିଶ୍ୱାସ ହିଁ ନିଯୁକ୍ତି କ୍ଷେତ୍ରରେ ସଫଳତାର ମୁଖ୍ୟ ଆଧାର ବୋଲି ମେୟର ଶ୍ରୀ ସିଂହ ପ୍ରକାଶ କରିବା ସହିତ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ସେ କହିଥିଲେ ଯେ, ଯୁବପିଢ଼ିଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିଦାତାଙ୍କ ସହିତ ସିଧାସଳଖ ଯୋଡ଼ିବା ଦିଗରେ ଏଭଳି ଜବ୍ ଫେୟାର୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମାଧ୍ୟମରେ ଯୁବକ ଯୁବତୀମାନେ ନିଜର ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ଚାକିରିର ସୁଯୋଗ ପାଇବା ସହିତ ନିଜ ଭବିଷ୍ୟତକୁ ଏକ ନୂତନ ଦିଗ ଦେଇପାରିବେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ସହିତ ଉପମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, କର୍ପୋରେଟର ଶ୍ରୀମତୀ ମିନା ସାହୁ, କଟକ ମହାନଗର ନିଗମର ଉପଆୟୁକ୍ତ ଶ୍ରୀମତୀ ସ୍ୱାତି ମିଶ୍ରଙ୍କ ସମେତ ଲାଇଟ୍ ହାଉସ୍‌ର ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ନିଯୁକ୍ତିଦାତା ସଂସ୍ଥାର ପ୍ରତିନିଧି ଏବଂ ବହୁ ସଂଖ୍ୟକ ଆଶାୟୀ ପ୍ରାର୍ଥୀ ଉପସ୍ଥିତ ଥିଲେ। କଟକ ମହାନଗର ନିଗମ ଲାଇଟ୍ ହାଉସ୍‌ର ଏହି ମିଳିତ ପ୍ରୟାସ ଯୁବପିଢ଼ିଙ୍କୁ ରୋଜଗାର ସହିତ ଯୋଡ଼ିବା ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଭାବେ ବିବେଚିତ ହୋଇଛି।