ଝରିଗାଁ, ୧୩/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ଅଭାବନୀୟ ଘଟଣା। ତିନୋଟି ଭାଲୁର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଝରୀଗାଁ ବ୍ଲକ କୁସୁମୀ ଗ୍ରାମର ଫଗୁଣ ଗୌଡ଼ ଅନ୍ୟ ଦୁଇ ଜଣଙ୍କ ସହ ଛେଳି ଚରାଇବା ପାଇଁ ମସାଣି ପଦା ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ହଠାତ୍ ତିନୋଟି ଭାଲୁ ବାହାରି ଆସିଥିଲା। ଦୁଇଜଣ ପଳାଇବାରେ ସଫଳ ହୋଇଥିବାବେଳେ ଫଗୁଣ ଗୌଡ଼ ଭାଲୁ ଆକ୍ରମଣରେ ଫସିଯାଇଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଝରୀଗାଁ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁସୁମୀ ଗ୍ରାମ ନିକଟରେ ବିଶାଳ ବାଉଁଶ ଜଙ୍ଗଲ ଥିବାରୁ ପୂର୍ବରୁ ମଧ୍ୟ ଭାଲୁର ଚଳପ୍ରଚଳ ରହିଥିଲା। ତେବେ ଏଭଳି ମର୍ମନ୍ତୁଦ ଆକ୍ରମଣ ପ୍ରଥମ ଥର ଘଟିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଛି। ଜମିକୁ ଯିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି | ଏପଟେ ମୃତ ଫଗୁଣ ଗୌଡ଼ଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଓ ବନ୍ୟଜନ୍ତୁ ଆତଙ୍କରୁ ସୁରକ୍ଷା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଝରୀଗାଁରୁ ନକୁଳ ଭତରାଙ୍କ ରିପୋର୍ଟ।
