ଦୁର୍ଗମ କପରଗଡ ଓ ସମାଟପଦରରେ ହୋମିଓପାଥି ଚିକିତ୍ସା ଶିବିର, ୪ କିମି ପାଦରେ ଯାଇ ସେବା ଯୋଗାଇଲେ ଡାକ୍ତରୀ ଟିମ
ନୂଆପଡା ୧୫/୦୭ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣାରୁ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ କିରକିଟା ପଞ୍ଚାୟତର ଦୁର୍ଗମ କପରଗଡ ଓ ସମାଟପଦର ଗ୍ରାମରେ ଏକ ହୋମିଓପାଥି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ, ଭବାନୀପାଟଣା ମଣ୍ଡଳ ପକ୍ଷରୁ ଏହି ଶିବିର ଆୟୋଜନ କରାଯାଇଥିଲା। ସୂଚନା ଅନୁଯାୟୀ, କପରଗଡ ଓ ସମାଟପଦର ଗ୍ରାମ ଦୁଇଟି ଦୁର୍ଗମ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ସେଠାକୁ ପହଞ୍ଚିବା ପାଇଁ କୌଣସି ରାସ୍ତା ନଥିବାରୁ ପାଦରେ ପ୍ରାୟ ୪ କିମି ଚାଲି ଯିବାକୁ ପଡେ। ଏତେ ଦୁର୍ଗମ ସ୍ଥାନ ହୋଇଥିଲେ ମଧ୍ୟ ସେଠାକାର ଲୋକଙ୍କ ପାଖରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ମଣ୍ଡଳର ଏକ ବିଶେଷ ଟିମ୍ ପହଞ୍ଚିଥିଲେ।ଶିବିରରେ ଡାଃ ବିଦ୍ୟା ଭୂଷଣ ବାରିକ, ଡାଃ ରାଖଳ ଚନ୍ଦ୍ର ମାଝୀ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ବଣ୍ଟନ କରିଥିଲେ। ସେମାନଙ୍କ ସହ କର୍ମଚାରୀ ପରମେଶ୍ୱର ବାଗ, ଲୋକେଶ୍ୱର ହଂସ ଓ ବିଜୟ ଶଙ୍କର ଭୋଇ ସଚେତନତା ଅଭିଯାନରେ ସହଯୋଗ କରିଥିଲେ। ସାଧାରଣ ରୋଗ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ପ୍ରତିଷେଧକ ବିଷୟରେ ମଧ୍ୟ ବୁଝାଯାଇଥିଲା। ଏହି ଶିବିର ଆୟୋଜନରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ପ୍ରତାପ ମେହେର ବିଶେଷ ଭାବେ ସହଯୋଗ ଓ ଯୋଗଦାନ କରିଥିଲେ। ତାଙ୍କ ଉଦ୍ୟମରେ ଗ୍ରାମବାସୀଙ୍କୁ ଶିବିର ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଥିଲା ଏବଂ ଶିବିରକୁ ସଫଳ କରାଯାଇଥିଲା।ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦୁର୍ଗମ ଅଞ୍ଚଳରେ ଏଭଳି ସ୍ୱାସ୍ଥ୍ୟ ଶିବିର ହେବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭବିଷ୍ୟତରେ ମଧ୍ୟ ଏଭଳି ଶିବିର ଆୟୋଜନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।