ଯୁବ ଭୋଟର ପଞ୍ଜୀକରଣ ନିମନ୍ତେ ସଚେତନତା କର୍ମଶାଳା ଅନୁଷ୍ଠିତ
ରାୟଗଡ଼, ୧୦/୦୭ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣି ଭା ପ୍ର ସେଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲାରେ ଯୁବ ଭୋଟରଙ୍କ ଚିହ୍ନଟ ଓ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ରାୟଗଡ଼ ଉପଜିଳ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଯୁବ ଭୋଟର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ ବିଡ଼ିଓ ସୁଜିତ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ ଓ ପ୍ରଫୁଲ୍ଲ କୁମାର ବେହେରା, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଡ: ରାଜେଶ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ନିର୍ଭୁଲ ଭୋଟର ତାଲିକାର ଆବଶ୍ୟକତା ସହ ଯୁବପିଢ଼ି ଯେପରି ଶତ ପ୍ରତିଶତ ପଞ୍ଜିକରଣ ହେବେ ସେଥି ପ୍ରତି ସଙ୍କଳ୍ପବଦ୍ଧ ହେବାକୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା କହିଥିଲେ । ଜଣେ ମଧ୍ୟ ଯୋଗ୍ୟ ଭୋଟର ଯେପରି ବାଦ୍ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ଭୋଟର ତାଲିକାରେ ରହିବେନାହିଁ, ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଡ଼ିଓ ଶ୍ରୀ ସୁଜିତ କୁମାର ମିଶ୍ର ନିର୍ବାଚନ ପ୍ରକ୍ରିୟା, ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ସଚେତନତା ବାର୍ତ୍ତା ସହ ଭୋଟର ସାକ୍ଷରତା କ୍ଳବର ସଦସ୍ୟଙ୍କ ଭୂମିକା ବିଷୟରେ ଉପସ୍ଥାପନ କରିଥିଲେ ।ଉଭୟ ସହକାରୀ ଜିଲ୍ଲାପାଳ ଭାରତୀୟ ସମ୍ବିଧାନ ଓ ଆର ପି ଆକ୍ଟ ରେ ଭୋଟର ତାଲିକା ପ୍ରସ୍ତୁତି, ଭୋଟରଙ୍କ ଯୋଗ୍ୟତା, ଏଥିନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ବରିଷ୍ଟ ଶିକ୍ଷକ ତଥା ସମ୍ବଳ ବ୍ୟକ୍ତି ନିଳାଞ୍ଚଳ ମିଶ୍ର ସୁସ୍ଥ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବ୍ୟବହୃତ ଭୋଟରଙ୍କ ଯୋଗ ନିମନ୍ତେ ଫର୍ମ ୬, ବାଦ୍ ନିମନ୍ତେ ଫର୍ମ ୭ ଓ ସଂଶୋଧନ ,ସ୍ଥାନାନ୍ତର ଆଦି ନିମନ୍ତେ ଫର୍ମ ୮ ର ବ୍ୟବହାର ସହ ଅନଲାଇନ ରେ କିଭଳି ଭାବେ ନିଜ ନାମ ଯାଞ୍ଚ କରିବେ, ଦାବି ଓ ଅଭିଯୋଗ ଦାଖଲ କରିବେ , ତାହାର କୌଶଳ ବର୍ଣ୍ଣନା କରିଥିଲେ । ଜିପିଡିଓ ସ୍ମୃତିରେଖା ନାୟକ, ବୁଥ ଅଧିକାରୀ ଚିନ୍ତାମଣି ବେହେରା ଓ ମଣିକଣ୍ଠ ସାହୁ, ସୁପରଭାଇଜର ଫକୀର ମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ଭୋଟର ହେଲ୍ପ ଲାଇନ ଆପ ର ବ୍ୟବହାର କୌଶଳ ଶିକ୍ଷାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଜ୍ଞା ପ୍ରସାଦିନି ପଟ୍ଟନାୟକ,ସୁମନ କୁମାର ଧାଲି, ଶିଖାଞ୍ଜଳି ନାଗ, ଅଭିଷେକ କୁମାର ଓ ବିତେଶ ସଜ୍ଜନ ନାୟକ ପ୍ରମୁଖ ଶିକ୍ଷାର୍ଥୀ ମୁଁ ଜଣେ ଭୋଟର ହୋଇ ଗର୍ବିତ ଏବଂ ଆମେ କାହିଁକି ଭୋଟର ହେବା ବିଷୟରେ ନିଜେ ଆଜ୍ବଶ୍ୱୀ ଅଭିଭାଷଣ ପାଇଁ ବରେଣ୍ୟ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ନିର୍ଦ୍ଦେଶକ ଡ: ରାଜେଶ ପାଢ଼ୀ ସମସ୍ତ ବରେଣ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ସେଞ୍ଚୁରିଅନ ସର୍ବଦା ଚେଷ୍ଟିତ ଏବଂ ପ୍ରଶାସନକୁ ଆବଶ୍ୟକ ସହଯୋଗ କରି ଆସୁଥିବା ପ୍ରକାଶ କରିଛନ୍ତି, ରାୟଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅନୁଷ୍ଠାନରେ ଭୋଟର ସଚେତନତା ନିମନ୍ତେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ କାର୍ଯ୍ୟସୂଚୀ ଜାରି କରାଯାଇଛି । ନିଜ କ୍ଷେତ୍ରରେ ଚିଠା ଭୋଟର ତାଲିକା ଯାଞ୍ଚ ସହ ନୂତନ ଭୋଟର ପଞ୍ଜୀକରଣ ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ବିଡ଼ିଓ , ତହସିଲଦାର ଓ ରାୟଗଡ଼ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା କହିଛନ୍ତି।