Hot Posts

6/recent/ticker-posts

ସିନାପାଲିରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ : ୨୫୦ ଚାରା ରୋପଣ କରି ପରିବେଶ ସୁରକ୍ଷାର ସଂକଳ୍ପ ନେଲା ବିଜେପି ଯୁବମୋର୍ଚ୍ଚା

ନୂଆପଡ଼ା, ୨୫/୦୭ ( ପରମେଶ୍ୱର ମେହେର ) : ଗୋଟିଏ ଗଛ କୋଟିଏ ଜୀବନ” ଏବଂ “ଗଛଟିଏ ରୋପଣ କରିବା, ସବୁଜ ସୁନ୍ଦର ପୃଥିବୀ ଗଢ଼ିବା” ବାର୍ତ୍ତାକୁ ନେଇ ନୂଆପଡ଼ା ଜିଲ୍ଲାର ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚା, ନୂଆପଡ଼ାର ଆନୁକୂଲ୍ୟରେ ଆୟୋଜିତ ଏହି ବୃହତ କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଓ ସବୁଜ ବିପ୍ଳବ ପ୍ରତି ଜନସଚେତନତା ସୃଷ୍ଟି କରିବାର ଏକ ପ୍ରୟାସ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଶଜତ ସୋହନ ଯୋଷୀଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ସୁବ୍ରତ କୁମାର ଠାକୁର ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ମତ ରଖିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଉଦନ୍ତୀ ମଣ୍ଡଳ ସଭାପତି ପୁସ୍ତମ ମିଶ୍ର, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନନ୍ଦକୁମାର ପାତ୍ର ଏବଂ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଶ୍ରୀମାନ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ ପରିବେଶ ସୁରକ୍ଷା ସହ ଜନସ୍ୱାସ୍ଥ୍ୟର ସମ୍ପର୍କ ଉପରେ ଆଲୋକପାତ କରି ଅଧିକରୁ ଅଧିକ ବୃକ୍ଷରୋପଣ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ବିଜେପି ସିନାପାଲି ବ୍ଲକର ପଦାଧିକାରୀ, ବିଭିନ୍ନ ମଣ୍ଡଳର ପଦାଧିକାରୀ, ତିନୋଟି ମଣ୍ଡଳର ଯୁବମୋର୍ଚ୍ଚା ସଭାପତି, ବହୁ ସଂଖ୍ୟକ ଯୁବ କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସମସ୍ତେ ମିଳି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆମ୍ବ, ନିମ୍ବ, କରଞ୍ଜ, ଅଶୋକ ସମେତ ବିଭିନ୍ନ ପ୍ରଜାତିର ପ୍ରାୟ ୨୫୦ଟି ଚାରା ରୋପଣ କରିଥିଲେ। ବୃକ୍ଷରୋପଣ ପରେ ସମସ୍ତ କାର୍ଯ୍ୟକର୍ତ୍ତା ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା, ସୁରକ୍ଷା କରିବା ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। କେବଳ ଗଛ ଲଗାଇବା ନୁହେଁ, ବରଂ ତାହାକୁ ବଞ୍ଚାଇ ରଖିବା ହିଁ ପ୍ରକୃତ ପରିବେଶ ସେବା ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏଭଳି ସାମାଜିକ ଓ ପରିବେଶ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ଓ ସାଧାରଣ ଜନତା ପ୍ରଶଂସା କରିଛନ୍ତି। ଏପରି ପଦକ୍ଷେପ ପରିବେଶ ସୁରକ୍ଷା ସହ ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।