ରାୟଗଡ଼ା ପୋଲିସର ବଡ଼ ସଫଳତା: ପ୍ରକୃତ ମାଲିକଙ୍କୁ ଫେରିଲା ୧୦୪ ଚୋରି ଓ ହଜିଯାଇଥିବା ମୋବାଇଲ୍
ରାୟଗଡ଼ା, ୧୩/୦୭ ( ଭି. ଗୌରି ଶଙ୍କର ରାଓ ) : ସାଧାରଣ ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ଉଦ୍ଦେଶ୍ୟରେ ରାୟଗଡ଼ା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ରିଜର୍ଭ ପୋଲିସ କାର୍ଯ୍ୟାଳୟ ଏବଂ ଜେ.କେ. ପୁର ପୋଲିସ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ସହ 'ମୋବାଇଲ୍ ବିତରଣ ମେଳା' ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକାରୀ (ଏସ୍ପି)ଙ୍କ ଉପସ୍ଥିତିରେ ପୋଲିସର ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସାମ୍ନାରେ ଉଦ୍ଧାର ହୋଇଥିବା ୧୦୪ଟି ମୋବାଇଲ୍ ଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଚିହ୍ନଟ ଓ ଉଦ୍ଧାର ପାଇଁ ନିୟମିତ ଭାବେ ତଦନ୍ତ ଜାରି ରହିଛି। ଉଦ୍ଧାର ହୋଇଥିବା ମୋବାଇଲ୍ଗୁଡ଼ିକୁ ଆଇନଗତ ପ୍ରକ୍ରିୟା ପରେ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଉଛି। ଏହି ପଦକ୍ଷେପକୁ ସାଧାରଣ ଲୋକଙ୍କ ସମ୍ପତ୍ତି ସୁରକ୍ଷା ପ୍ରତି ରାୟଗଡ଼ା ପୋଲିସର ଏକ ଜନମୁଖୀ ପ୍ରୟାସ ବୋଲି ମନେ କରାଯାଉଛି। ପୋଲିସ ଜନସାଧାରଣଙ୍କୁ ମୋବାଇଲ୍ ହଜିଯିବା କିମ୍ବା ଚୋରି ହେଲେ ତୁରନ୍ତ ସମ୍ପୃକ୍ତ ଥାନାରେ ଅଭିଯୋଗ ଦାଖଲ କରିବାକୁ ଅନୁରୋଧ କରିଛି।