ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ OSSTAର କଡ଼ା ଆଭିମୁଖ୍ୟ; ଅଗଷ୍ଟ ୧୬ରୁ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନ
ଝରୀଗାଁ, ୧୩/୦୭ (ନକୁଲ ଭତରା) : ଗତକାଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (OSSTA) ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସମ୍ମିଳନୀ ରବିବାର ଝରୀଗାଁ ବ୍ଲକ ଅନ୍ତର୍ଗତ ପୂର୍ଲା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସମ୍ପାଦକ ମିହିରକାନ୍ତି ଢ଼ାଲିଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବଂଶୀଧର ଭୂୟାଁ ସଭାପତିତ୍ୱ କରିଥିବା ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି, ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ବରେଣ୍ୟ ଅତିଥି ଏବଂ ବ୍ରଜ କିଶୋର ବିଶ୍ୱାଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ ଶିକ୍ଷା ପ୍ରଦୀପ ସହ-ସମ୍ପାଦକ ସନ୍ତୋଷ କୁମାର ସାହୁ, ନୂଆପଡ଼ା ଜିଲ୍ଲା ସମ୍ପାଦକ ରବୀନ୍ଦ୍ର କୁମାର ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ତଥା ପୂର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଦୁଲାଲ ବାରୋଇ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ନନ୍ଦୀ ଏବଂ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ କେଦାରେଶ୍ୱର ପଟ୍ଟନାୟକ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ ସଂଗଠନର ସଭାପତି, ସମ୍ପାଦକ, ବ୍ଲକ ନେତୃତ୍ୱ, ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସମ୍ମିଳନୀରେ ଯୋଗଦେଇଥିଲେ। ବୈଠକରେ ଶିକ୍ଷକମାନଙ୍କର ଦୀର୍ଘଦିନର ବିଭିନ୍ନ ସମସ୍ୟା ଓ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଅନୁଦାନରୁ ବଞ୍ଚିତ ୧୯୪ଟି ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ୧୯୮୧ ଅନୁଦାନ ନୀତି ଅନୁଯାୟୀ ପେନସନ ପ୍ରଦାନ, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ୍ ପେରେ ଥିବା ଅସଙ୍ଗତି ଦୂରୀକରଣ, ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ କାର୍ଯ୍ୟକାରୀ କରିବା ସହ ଏନ୍ପିଏସ୍ଭୁକ୍ତ ଶିକ୍ଷକମାନଙ୍କୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ ଭଳି ଦାବି ଉପସ୍ଥାପିତ ହୋଇଥିଲା। ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସରକାର ଯଦି ଏହି ଦାବିଗୁଡ଼ିକୁ ଶୀଘ୍ର ପୂରଣ ନ କରନ୍ତି, ତେବେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନ ଆରମ୍ଭ କରାଯିବ। ଏଥିପାଇଁ ଆଗାମୀ ଆନ୍ଦୋଳନର ରଣନୀତି ମଧ୍ୟ ସମ୍ମିଳନୀରେ ଚୂଡ଼ାନ୍ତ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ସହଯୋଗରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।