Hot Posts

6/recent/ticker-posts

ଛାତ ଉପରକୁ ଯିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ

ଭବାନୀପାଟଣା, ୨୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର ଗ୍ରାମପଞ୍ଚାୟତର ଡଙ୍ଗରଗଡ଼ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଛାତ ଉପରକୁ ଯିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ବିଦ୍ୟୁତ୍ ବିଭାଗର ଅବହେଳା ଅଭିଯୋଗ କରାଯାଇଛି। ଆଜି ତା ୨୩.୦୭.୨୦୨୬ ରିଖ ଅପରାହ୍ନ ପ୍ରାୟ ୪ଟା ୪୦ ମିନିଟ୍ ସମୟରେ ଡଙ୍ଗରଗଡ଼ ଗ୍ରାମର ହୃଷୀକେଶ ତାଣ୍ଡି (୨୫) ଘରର ଛାତ ଉପରକୁ ଯାଇଥିବା ବେଳେ ଘର ନିକଟରେ ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଛାତ ଉପରୁ ତଳକୁ ପଡ଼ିଯାଇଥିଲେ। ପରିବାର ଲୋକ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ହୃଷୀକେଶ ତାଣ୍ଡି ସୁରଟର ଏକ କମ୍ପାନୀରେ କାମ କରୁଥିଲେ ଏବଂ ପରିବାରର ମୁଖ୍ୟ ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ଘର ନିକଟରେ ଥିବା ବିପଦଜନକ ୧୧ କେଭି ବିଦ୍ୟୁତ୍ ଲାଇନ୍ ସମ୍ପର୍କରେ ବାରମ୍ବାର ବିଦ୍ୟୁତ୍ ବିଭାଗର ୪ ନମ୍ବର ସେକ୍ସନକୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଏହି ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏନେଇ ମୃତକଙ୍କ ପିତା ଉପେନ୍ଦ୍ର ତାଣ୍ଡି (ସ୍ୱର୍ଗତ ମେହେର ତାଣ୍ଡିଙ୍କ ପୁତ୍ର) ସମ୍ପୃକ୍ତ ଥାନାରେ ଲିଖିତ ଅଭିଯୋଗ ଓ ଏଫ୍‌ଆଇଆର୍‌ ପାଇଁ ଆବେଦନ ଦାଖଲ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭିଯୋଗ ସମ୍ପର୍କରେ ବିଦ୍ୟୁତ୍ ବିଭାଗର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ