ଜଳିଗଲା ଦୁଇ ବଖରା ଘର, ବରୀ ବଦଳରେ ବରୁଆଁରୁ ଆସିଲା ଦମକଳ ଗାଡି
ବରୀ, ୨୨/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଲକ ରାମଚନ୍ଦ୍ରପୁର ଦୁର୍ଗା ପଡିଆ ନିକଟରେ ଅନାମ ଜେନାଙ୍କ ଦୁଇ ବଖରା ଘରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଘଟିବାରୁ ଅନାମଙ୍କ ପରିବାର ଲୋକେ ତୁରନ୍ତ ବରୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ହେଲେ ଦୀର୍ଘ ସମୟ ପରେ ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ଠାରୁ ୨୦ କିମି ଦୂର ବରୁଆଁରୁ ଦମକଳ କେନ୍ଦ୍ରର ଗାଡି ପହଞ୍ଚିଥିଲା । ସେତେବେଳକୁ ସ୍ଥାନୀୟ ଲୋଜେ ନିଆଁକୁ ଆୟତ୍ତ କରି ସାରିଥିଲେ । ସୂଚନା ଅନୁଯାୟୀ ଆଜକୁ ପ୍ରାୟ ଦଶ ଦିନ ହେଲା ବରୀ ଦମକଳ କେନ୍ଦ୍ରର ଗାଡି ଖରାପ ହୋଇ ପଡିଛି । ତେଣୁ ଉପଯୁକ୍ତ ସମୟରେ ଅଗ୍ନିଶମ ଗାଡି ଘଟଣା ସ୍ଥଳକୁ ଆସି ପାରି ନଥିଲା । ଯଦି ଦଶ ଦିନ ହେଲା ଗାଡି ଖରାପ ହୋଇଛି ତେବେ ତାକୁ କାହିଁକି ତୁରନ୍ତ ମରାମତି କରାଗଲା ନାହିଁ ସେ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯଦି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥାନ୍ତା ତେବେ କିଏ ଦାୟୀ ରହିଥାଆନ୍ତା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।