ଖଜୁରୀପଡ଼ା, ୧୨/୦୭ ( ଅଚ୍ୟୁତ ଜାନୀ ) : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ କନ୍ଧମାଳ ଜିଲ୍ଲା ସ୍ତରରେ ଆୟୋଜିତ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଖଜୁରୀପଡ଼ା ବ୍ଲକର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଉଭୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ସମଗ୍ର ଜିଲ୍ଲାରେ ଖଜୁରୀପଡ଼ା ବ୍ଲକର ଶିକ୍ଷାଗତ ଗୌରବକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ଖଜୁରୀପଡ଼ା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ତଥା କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରାବାସର ଅନ୍ତେବାସିନୀ ତପସ୍ୱିନୀ ସାହାଣୀ ନିଜର ସୃଜନଶୀଳ ପ୍ରତିଭା ଓ ଆକର୍ଷଣୀୟ ଚିତ୍ରକଳା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି କୁଇଜ୍ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦୁତିମେଣ୍ଡିର ଦଶମ ଶ୍ରେଣୀର ଛାତ୍ର ଆଶୁତୋଷ ସାହୁ ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।ଉଭୟ ପ୍ରତିଯୋଗୀଙ୍କ ଏହି କୃତିତ୍ୱ ଖଜୁରୀପଡ଼ା ବ୍ଲକ ପାଇଁ ଗର୍ବର ବିଷୟ ପାଲଟିଛି। ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅଧ୍ୟବସାୟ, ନିଷ୍ଠା ଏବଂ ଶିକ୍ଷକମାନଙ୍କର ନିରନ୍ତର ମାର୍ଗଦର୍ଶନ ଏହି ସଫଳତା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମତ ପ୍ରକାଶ ପାଇଛି। ସଫଳତା ପରେ ବିଦ୍ୟାଳୟ ପରିବାର, ଅଭିଭାବକ ଓ ବ୍ଲକର ବିଭିନ୍ନ ମହଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି ।ଖଜୁରୀପଡ଼ା ବ୍ଲକ ସମାଜ ପ୍ରତିନିଧି ବିକାଶ କୁମାର ଦିଗାଲ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ବିଜେତା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଉପଲବ୍ଧି ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସହ ଆଗାମୀ ଦିନରେ ଖଜୁରୀପଡ଼ା ବ୍ଲକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିବେ ବୋଲି ଆଶା ପ୍ରକାଶ ପାଇଛି।